ନୂଆଦିଲ୍ଲୀ: ପାଣିପାଗ ପରିବର୍ତନ ମାଡି ଆଣୁଛି ବିପଦ । ଆର୍କଟିକ୍ ବରଫଖଣ୍ଡ ଦ୍ରୁଦ ଗତିରେ ତରଳିବାକୁ ଲାଗୁଛି। ଯାହା ଆଗକୁ ଏକ ବଡ଼ ବିପଦର ସଂକେତ ସୃଷ୍ଟି କରୁଛି । ଦ୍ରୁତ ଗତିରେ ବରଫଖଣ୍ଡ ତରଳିବା ଯୋଗୁ ଇବୋଲା, ଇନ୍ଫ୍ଲୁଏଞ୍ଜା ଓ ସାର୍ସ କୋଭ-୨ ଭୂତାଣୁର ଆଶଙ୍କା ଅଧିକ ରହିଛି। ଏକ ବୈଜ୍ଞାନିକ ଗବେଷଣାରୁ ଏଭଳି ଡରାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି।
ଆଖାପାଖରେ ଥିବା ଭୂତାଣୁକୁ ଚିହ୍ନଟ କରିବା ନେଇ ଗବେଷକମାନେ ସ୍ୱଚ୍ଛ ଜଳର ହ୍ରଦ ‘ଲେକ ହାଜନ’ର ପଙ୍କ ନେଇ ଟେଷ୍ଟ କରିଥିଲେ। ଏହି ହ୍ରଦଟି କାନାଡ଼ା(ଅର୍କିଟିକ୍ ସାରକଲର ଉତ୍ତରପଟକୁ) ଏଲେସ୍ମେର୍ ଦୀପରେ ରହିଛି। ହ୍ରଦର ପଙ୍କ ପରୀକ୍ଷଣ କରିବା ପରେ ଏହାର ଡିଏନ୍ଏ ଓ ଆର୍ଏନ୍କୁ କ୍ରମନାନ୍ୱୟରେ ରଖାଯାଇଥିଲା। ବର୍ତ୍ତମାନ ସମୟରେ ଭାଇରସଗୁଡ଼ିକ କିପରି ପଶୁ,ଉଦ୍ଭିଦ ଓ କବକ ଜନିତ ସାମଗ୍ରୀ ସହିତ ଲିଙ୍କ ରହିଛି ତାହା ଜାଣିବା ପାଇଁ କମ୍ପ୍ୟୁଟର ଆଲଗୋରିଦମର ବ୍ୟବହାର କରାଯାଇଥିଲା। ଏହି ପରୀକ୍ଷଣ ପରେ ଭାଇରସଗୁଡ଼ିକ କିପରି ବ୍ୟାପିବାର ଭୟ ରହିଛି ତାହା ଜଣାପଡ଼ିଥିଲା।
ଭାଇରସ ଗବେଷଣା ସମ୍ପର୍କିତ ରିପୋର୍ଟ “ପ୍ରୋସିଡିଂ ଅଫ୍ ଦି ରୟାଲ ସୋସାଇଟି ବି: ବାୟୋଲୋଜିକାଲ ସାଇନ୍ସ”ରେ ପ୍ରକାଶ ପାଇଛି। ଏଥିରେ ଗବେଷକମାନେ ଲେଖିଛନ୍ତି “ ପାଣିପାଗ ପରିବର୍ତ୍ତନ ଯୋଗୁ ଗ୍ଲେସିୟର ତରଳିବା କାରଣରୁ ଏହାର ସଂକ୍ରମଣ ଭୟ ରହିଛି। ଜଳବାୟୁର ପରିବର୍ତ୍ତନ ଏହି ଜଳଜାତ ଭାଇରସ ଓ ଏହାର ପ୍ରଜାତିକୁ ଉତ୍ତରଆଡ଼କୁ ନେଇଯିବା ଉଚିତ୍। ଏପରି ସ୍ଥିତିରେ ବହୁଳମାତ୍ରାରେ ଗ୍ଲେସିୟର ଥିବା ଆର୍କଟିକ୍ ମହାମାରୀ ଜନ୍ମସ୍ଥଳ ହୋଇପାରେ।” ବରଫଜାତ ଭୂତାଣୁ ଅଧିକ ସଂକ୍ରାମକ ଓ ଏହା ସହଜରେ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ଗବେଷଣାରେ ଜଣାପଡ଼ିଛି ।
