ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଥରୁର-ଗେହଲଟ ନାମାଙ୍କନ ପତ୍ର ଦାଖଲ କଲେ ବି ଶେ‌ଷରେ ନଚାହୁଁଥିବା ନେତା ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ। ଏଭଳି କହି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଅଧ୍ୟକ୍ଷ ପଦବୀକୁ ନେଇ ଉଭୟ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦଳ ଏକ ଅଜବ ଦ୍ୱନ୍ଦ୍ୱରେ ପଡ଼ିଛି । ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ କେରଳର ସାଂସଦ ଶଶି ଥରୁର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଯେଉଁମାନେ ଦାୟିତ୍ୱ ନେବାକୁ ଇଚ୍ଛୁକ, ସେମାନଙ୍କୁ ଅନୁମତି ଦିଆଯାଉ ନାହିଁ। ଏବେ ଏହି ପଦବୀ ପାଇଁ ଅନେକ ନେତା ନାମାଙ୍କନ ପତ୍ର ଦାଖଲ କଲେ ବି ଶେଷରେ ଏହି ଦାୟିତ୍ବ ସେହିମାନଙ୍କ ନିକଟକୁ ଯିବ ଯେଉଁମାନେ ଏହି ପଦବୀ ସମ୍ଭାଳିବାକୁ ଇଚ୍ଛୂକ ନୁହନ୍ତି। ଏଭଳି କହି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି।

ସେ ଆହୁରି କହିଛନ୍ତି ଯେ, ସମସ୍ତେ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ। କିନ୍ତୁ ପରେ ସେମାନେ ଇଚ୍ଛ‌ା ନାହିଁ କହୁଥିବା ନେତାଙ୍କୁ ଅଧ୍ୟକ୍ଷ କରିବାକୁ ଏକମତ ହେବେ। ଏହା ହେଉଛି ସେମାନଙ୍କର ପ୍ରକ୍ରିୟା। ଏକ ଜାତୀୟ ଦଳ ଦୀର୍ଘ ୪ ବର୍ଷ ହେଲାଣି ନିଜ ଅଧ୍ୟକ୍ଷ ଚୟନ କରିପାରି ନାହିଁ। କାର୍ଯ୍ୟକାରୀ ଅଦ୍ଧକ୍ଷରେ ଦଳ ଚାଲିଛି । ସେମାନଙ୍କ ସ୍ଥିତି ଏହିଠାରୁ ହିଁ ଜଣା ପଡିଯାଉଛି। ନରୋତ୍ତମ ମିଶ୍ରା ଟ୍ବିଟ ଆହୁରି କରିଛନ୍ତି ଯେ, ଦଳର ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସ ଏକ ଅଜବ ଦ୍ୱନ୍ଦ୍ୱରେ ପଡ଼ିଛି। ଏହା ଦୁର୍ଭାଗ୍ୟଜନକ ଯେ ଏତେ ବର୍ଷ ଧରି ଏକ ଜାତୀୟ ଦଳ ଏହାର ଅଧ୍ୟକ୍ଷ ବାଛିବାରେ ସକ୍ଷମ ହୋଇପାରିନାହିଁ। କଂଗ୍ରେସ ଏବେ ଏକ ବୁଡ଼ି ଯାଉଥିବା ଜାହାଜ ଏବଂ ଏହି ଜାହାଜର ବୁଡ଼ିବା ସୁନିଶ୍ଚିତ।