ସାମ୍ନାକୁ ଆସିଲା ଏଫବିଆଇର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉର ସାଙ୍ଘାତିକ କାରଣ

ନୂଆଦିଲ୍ଲୀ : ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇ ଗତ କିଛି ଦିନ ତଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉ କରିଥିଲା । ତେବେ କେଉଁ କାରଣ ପାଇଁ ଚଢ଼ାଉ ହୋଇଥିଲା ସେନେଇ କିଛି ସ୍ପଷ୍ଟ କାରଣ ସାମ୍ନାକୁ ଆସିନଥିଲା ବେଳେ, ଏଫବିଆଇ ନ୍ୟୁକ୍ଲିଅର ଦସ୍ତାବିଜ ସନ୍ଧାନରେ ଟ୍ରମ୍ପଙ୍କ ଘରେ ଚଢଉ କରିଥିବା ନେଇ ଓ୍ୱାଶିଂଟନ ପୋଷ୍ଟ ପକ୍ଷରୁ ବଡ ଦାବି କରାଯାଇଛି ।

ସୂଚନାନୁସାରେ, ଏଫବିଆଇ ନିକଟରେ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ତଲାସୀ ଅଭିଯାନ କରିଥିଲା । ସେଠାରୁ ସଂସ୍ଥା ବିପୁଳ ପରିମାଣର କାଗଜପତ୍ର ଜବତ କରିଥିଲା । ଏଫବିଆଇ ସୂତ୍ରାନୁସାରେ, ଏହି ଚଢଉ ଜାଣିଶୁଣି କରାଯାଇଥିଲା ଯେତେବେଳେ ଟ୍ରମ୍ପ ଘରେ ନଥିଲେ । ଟ୍ରମ୍ପ ଥିଲେ ଚଢଉ ପ୍ରଭାବିତ ହୋଇଥାନ୍ତା । ଏପରିକି ଟ୍ରମ୍ପ ଚଢଉକୁ ରାଜନୈତିକ ପ୍ରସଙ୍ଗ କରିପାରିଥାନ୍ତେ ।

ଏହାପୂର୍ବରୁ କୁହାଯାଇଥିଲା ଯେ, ଟ୍ରମ୍ପଙ୍କ ଘରେ ହ୍ୱାଇଟ୍ ହାଉସ ସହ ଜଡିତ କିଛି କାଗଜପତ୍ର ସନ୍ଧାନ ପାଇଁ ଚଢଉ ହୋଇଥିଲା । ଯାହାକୁ ସେ ହ୍ୱାଇଟ୍ ହାଉସ୍ ଛାଡିବା ପରେ ଫ୍ଲୋରିଡା ନେଇ ଆସିଥିଲେ । ଆଇନ ମନ୍ତ୍ରାଳୟ ଏହି ଚଢଉ କରିଥିଲା । ଗତ ମେ ରେ ମଧ୍ୟ ମନ୍ତ୍ରାଳୟ ଟ୍ରମ୍ପଙ୍କ କିଛି ଘନିଷ୍ଠଙ୍କୁ ଜେରା କରିଥିଲା ।

ଏଫବିଆଇ ଅନୁସାରେ, ସଂସ୍ଥା ପ୍ରେସିଡେନସିଆଲ୍ ରେକର୍ଡ ଆକ୍ଟ ସମ୍ବନ୍ଧୀୟ ମାମଲାର ଯାଞ୍ଚ କରୁଛି । କିଛି ଦିନ ପୂର୍ବରୁ ୧୫ଟି ବାକ୍ସରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା ।

ସୂଚନାଯୋଗ୍ୟ, ଚଢଉକୁ ବିରୋଧ କରିଥିଲେ ଟ୍ରମ୍ପ । ଏହା ଆମେରିକା ଇତିହାସ ପାଇଁ କଳାଦିନ ବୋଲି ସେ କହିଥିଲେ । ପୂର୍ବରୁ ଏପରି କେଉଁ ରାଷ୍ଟ୍ରପତିଙ୍କ ସହ ହୋଇନଥିଲା । ଏହା କ୍ଷମତାର ଅପବ୍ୟବହାର ବୋଲି ସେ ପ୍ରକାଶ କରିଥିଲେ ।

Related Posts