ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ: ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳର ୭ରୁ ଅଧିକ ପଞ୍ଚାୟତର ଲୋକ

ଭଦ୍ରକ : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଏହାର ପ୍ରଭାବରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ । ତେବେ ଏହାରି ମଧ୍ୟରେ ଭଦ୍ରକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ପାଣି ପ୍ରବେଶକୁ ନେଇ ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳର ୭ରୁ ଅଧିକ ପଞ୍ଚାୟତର ଲୋକ । ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୮ଟା ସୁଧା ୬.୨୮ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ ।

ଲଘୁଚାପ ଯୋଗୁଁ ନଦୀର ଉପର ମୁଣ୍ଡ ତଥା ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ହେଉଛି । ଏହା କାରଣରୁ ବଢୁଛି ନଦୀର ଜଳସ୍ତର । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବନ୍ୟା ଯୋଗୁଁ ବସ୍ତା ବ୍ଲକର ୭ରୁ ଅଧିକ ପଞ୍ଚାୟତର ଚାଷ ଜମିରେ ପାଣି ପ୍ରବେଶ କରୁଥିଲା ବେଳେ ପତ୍ରଝଡ଼ା, ସଦାନନ୍ଦପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡପଦା,କୁଡିଆ, ବାସିଚକୁରାଇ,ଦରଡା,ବ୍ରାହ୍ମଣଦା ପ୍ରଭାବିତ ହୋଇପାରେ । ସେହିପରି ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତରେ ଥିବା ଗାଁ ମଧ୍ୟରେ ବନ୍ୟା ପାଣି ପ୍ରବେଶ କରିବାର ସମ୍ଭାବନା ରହିଛି । ରାତି ସମୟରେ ନଦୀରେ ଜଳସ୍ତର ଅଧିକ ବଢ଼ୁଥିବାରୁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Related Posts