ମହଙ୍ଗା ମାଡ଼: ଆଜିଠୁ ଖଇ, ଚୂଡା ଓ ମୁଢି ଉପରେ ଜିଏସଟି ଲାଗୁ

ନୂଆଦିଲ୍ଲୀ : ମହଙ୍ଗା ହେଲା ଖଇ, ଚୂଡା ଓ ମୁଢି । ସରକାରଂକ ପକ୍ଷରୁ ଏସବୁ ଖାଦ୍ୟ ପଦାର୍ଥ ଉପରେ ଲାଗୁ ହେଲା ଜିଏସଟି । ଯାହା ଆଜିଠୁ ଲାଗୁ ହୋଇଛି । ଏସବୁ ଖାଦ୍ୟକୁ ପ୍ୟାକେଟ କରି ବିକ୍ରି କଲେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ପୂର୍ବରୁ କେବଳ ବ୍ରାଣ୍ଡେଡ୍ କମ୍ପାନୀର ଏସବୁ ଜିନିଷର ପ୍ୟାକେଟ୍ ସମାଗ୍ରୀ ଉପରେ ଜିଏସଟି ଲାଗୁ କରାଯାଉଥିଲା । କେନ୍ଦ୍ର ସରକାର ଟିକସ ବସାଇବା ଖବର ପରେ ଚୂଡା, ମୁଢ଼ି ବିକ୍ରି କରି ପରିବାର ଚଳାଉଥିବା ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣୀ ପଡିଛି ।

କିଏ କୌଳିକ ଭାବେ ମୁଢି ତିଆରି କରି ବିକ୍ରି କରୁଛନ୍ତି, ତ କିଏ ଏହି ବ୍ୟବସାୟକୁ ପେଟପାଟଣାର ଉପାୟ ଭାବେ ବାଛି ନେଇଛନ୍ତି । ହେଲେ ଏହି ଖୁଚୁରା ବ୍ୟବସାୟ ଉପରେ ଜିଏସଟିକୁ ତୀବ୍ର ବିରୋଧ କରି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବ୍ୟବସାୟୀ ।

ଖଇ, ମୁଢି, ଚୂଡା ଭଳି ଖାଦ୍ୟ ପଦାର୍ଥ ଉପରେ ଟିକସ ବସାଇବା ଘଟଣାକୁ କଂଗ୍ରେସ ଜୋରଦାର ବିରୋଧ କରିଛି । ପିସିସି ସଭାପତି ଶତର ପଟ୍ଟନାୟକ କହିଛନ୍ତି, ଓଡିଶାବାସୀଙ୍କ ପ୍ରିୟ ଖାଦ୍ୟ ଉପରେ ଜିଏସଟି ଲଗାଇ ମୋଦୀ ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଛନ୍ତି ।

ତୁରନ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି । ସେପଟେ ଓଡିଶା ବ୍ୟବସାୟୀ ମହାସଂଘ କହିଛି, ଏହି ନିଷ୍ପତ୍ତି ଲାଗୁ ହେଲେ ବହୁ ଲୋକ ବ୍ୟବସାୟ ହରାଇବେ । କୃଷି ମଣ୍ଡି ଓ ଡାଲି ମିଲ ପ୍ରଭାବିତ ହେବ । ସରଳ ଭାବେ ପଲିସୀ ବିଷୟରେ ସରକାର ସ୍ପଷ୍ଟ କରନ୍ତୁ ବୋଲି ସଂଘ ଦାବି କରିଛି ।

ସେପଟେ ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ଉଭୟ ବିଜେଡ଼ି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛନ୍ତି ।

Related Posts