ନକଲି ସାର୍ଟିଫିକେଟ ଦେଇ କରୁଥିଲେ ସରକାରୀ ଚାକିରି; ବନ୍ଧାହେଲେ କ୍ରୀଡ଼ା ଶିକ୍ଷୟିତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିବା ପଡ଼ିଲା ମହଙ୍ଗା । ଏନେଇ ଥାନାରେ ମାମଲା ରୁଜୁ ହେବାର ଠିକ୍ ୧୦ଦିନ ପରେ ଅନୁଗୁଳ ଟାଉନ୍ ଥାନା ପୁଲିସ ମୋଟ୍ ୧୦ଜଣ ପିଇଟି ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ଆଜି ଗିରଫ କରିଛି। ଗିରଫ ଶିକ୍ଷୟିତ୍ରୀ ହେଲେ, ସୁପ୍ରଭା ସାହୁ। ସୁପ୍ରଭାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଗୋବିନ୍ଦପୁର ଗାଁ। ସେ କଟକ ଜିଲ୍ଲା ତିଗିରିଆସ୍ଥିତ ପ୍ରସନ୍ନମଣି କଲେଜ ଅଫ୍ ଫିଜିକାଲ୍ ଏଜୁକେସନ୍ ଆଣ୍ଡ ଯୋଗ କଲେଜ ନାଁରେ ଜାଲ୍ ସାର୍ଟିଫିକେଟ୍ ତିଆରି କରିଥିଲେ।

୨୦୦୩ ମସିହା ଅଗଷ୍ଟ ମାସରେ କଲେଜରୁ ପାସ୍ କରିଛନ୍ତି ବୋଲି ସାର୍ଟିଫିକେଟ୍ ଦେଇ ୨୦୧୬ ମସିହାରୁ ବଳରାମପ୍ରସାଦ ହାଇସ୍କୁଲରେ ଚାକିରି କରି ଆସୁଥିଲେ। ସେ ଦେଇଥିବା ସାର୍ଟିଫିକେଟ୍ ନକଲି ବୋଲି ଜଣାପଡ଼ିବାପରେ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ସୁପ୍ରଭାଙ୍କ ସମେତ ମୋଟ୍ ୧୦ଜଣ ନକଲି ପିଇଟିଙ୍କ ନାଁରେ ଥାନାରେ ଏତଲା ଦେଇଥିଲା। ଏତଲା କ୍ରମେ ୧୦ଜଣଙ୍କ ମଧ୍ୟରୁ ସୁପ୍ରଭାଙ୍କୁ ଆଜି ଅନୁଗୁଳ ଟାଉନ୍ ଥାନା ପୁଲିସ ବଳରାମପ୍ରସାଦର ଏକ ଭଡ଼ାଘରୁ ଗିରଫ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts