ମହଙ୍ଗା ପଡିଲା ସୁରକ୍ଷା ଭାଙ୍ଗି ରାଷ୍ଟ୍ରପତିଙ୍କ ପାଦ ଛୁଇଁବା; ନିଲମ୍ବିତ ହେଲେ ମହିଳା ଇଞ୍ଜିନିୟର୍‌

ଭୁବନେଶ୍ୱର,୧୫/୧(ସତ୍ୟପାଠ ବ୍ୟୁରୋ): ଗତ ଜାନୁୟାରୀ ୪ ତାରିଖ ଦିନ ରାଜସ୍ଥାନର ପାଲିଠାରେ ଅନୁଷ୍ଠିତ ସ୍କାଉଟ୍ ଗାଇଡ୍ ଜାମ୍ବୋରିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୁରକ୍ଷା ପ୍ରୋଟୋକଲ୍‌ ଉଲ୍ଲଂଘନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁବା ଲାଗି ଉଦ୍ୟମ କରିଥିବା ରାଜସ୍ଥାନ ସରକାରଙ୍କର ଜଣେ ମହିଳା ଇଞ୍ଜିନିୟର୍‌ଙ୍କୁ ଶୁକ୍ରବାର ଦିନ ନିଲମ୍ବନ କରାଯାଇଛି।

ଗୃହମନ୍ତ୍ରାଳୟ ହସ୍ତକ୍ଷେପ କରିବାରୁ ଶୁକ୍ରବାର ଦିନ ରାଜସ୍ଥାନ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଙ୍ଗ୍‌ ବିଭାଗ ତାଙ୍କୁ ନିଲମ୍ବିତ କରିଛି। ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଙ୍ଗ୍‌ ବିଭାଗର (ପ୍ରଶାସନ) ଚିଫ୍‌ ଇଞ୍ଜିନିୟର୍‌ ଜାରି କରିଥିବା ଆଦେଶରେ ଉଲ୍ଲେଖ ଅଛି, ଜାନୁଆରି ୪ ତାରିଖ ଦିନ ରୋହେତ୍‌ରେ ଆୟୋଜିତ ଜାମ୍ବୋରୀ ସ୍କାଉଟ୍‌ ଗାଇଡ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ବେଳେ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଙ୍ଗ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଅମ୍ବା ସିୟୋଲ୍‌ ପ୍ରୋଟୋକଲ୍‌ ଉଲ୍ଲଂଘନ କରି ରାଷ୍ଟ୍ରପତିଙ୍କ ପାଦ ସ୍ପର୍ଶ କରିବାକୁ ଉଦ୍ୟମ କରିଥିଲେ। ତେଣୁ, ରାଜସ୍ଥାନ ସିଭିଲ୍ ସର୍ଭିସ୍‌ ନିୟମାନୁସାରେ, ତାଙ୍କୁ ନିଲମ୍ବିତ କରାଯାଇଛି।

ସୂଚନାଯୋଗ୍ୟ, ଜଳ ଯୋଗାଣ ବ୍ୟବସ୍ଥାର ତଦାରଖ କରିବା ନିମନ୍ତେ ସିୟୋଲ୍‌ଙ୍କୁ କାର୍ଯ୍ୟକ୍ରମସ୍ଥଳୀ ମୁତୟନ କରାଯାଇଥିଲା। କିନ୍ତୁ, ରାଷ୍ଟ୍ରପତିଙ୍କ ନିରାପତ୍ତା ବଳୟ ଭେଦ କରି ସେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ପ୍ରଥମ ଧାଡ଼ିରେ ଉପସ୍ଥିତ ଥିବା ସରକାରୀ ଅଧିକାରୀମାନଙ୍କ ନିକଟରେ ସେ ହାଜର ହୋଇ ଯାଇଥିଲେ। ଏହା ପରେ ସେ ତତ୍‌କ୍ଷଣାତ୍‌ ଆଗକୁ ଅଗ୍ରସର ହୋଇ ରାଷ୍ଟ୍ରପତିଙ୍କ ପାଦ ଛୁଇଁବାକୁ ଉଦ୍ୟମ କରୁଥିବା ବେଳେ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମଚାରୀମାନେ ବାଧା ଦେଇଥିଲେ।

ଔପଚାରିକ ଅନୁସନ୍ଧାନ ପରେ ସ୍ଥାନୀୟ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲେ। କିନ୍ତୁ, ଏହି ଘଟଣାକୁ ଗୁରୁତର ନିରାପତ୍ତା ତ୍ରୁଟି ବୋଲି ବିବେଚନା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜସ୍ଥାନ ପୁଲିସକୁ ରିପୋର୍ଟ ମାଗିଥିଲା।

Related Posts