ସିଂହନାଥ ପୀଠରେ ଦଳାଚକଟା ଘଟଣା; ଜଣେ ମହିଳା ମୃତ, ୨୦ରୁ ଅଧିକ ଗୁରୁତର

ଭୁବନେଶ୍ୱର,୧୫/୧(ସତ୍ୟପାଠ ବ୍ୟୁରୋ): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ର ପ୍ରସିଦ୍ଧ ସିଂହନାଥ ପୀଠରେ ଶନିବାର ଦିନ ଅଭାବନୀୟ ଘଟଣା ଘଟିଛି। ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୨୦ରୁ ଅଧିକ ଶିଶୁ, ପୁରୁଷ ଓ ମହିଳା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ରୁ ଅଧିକ ଆହତଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ବଡ଼ମ୍ବା ଓ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ତେବେ ପ୍ରତିବର୍ଷ ପ୍ରସିଦ୍ଧ ମକର ମେଳାରେ ପୀଠରେ ପ୍ରବଳ ଜନସମାଗମ ହୋଇଥାଏ। ପୀଠକୁ ଯିବା ପାଇଁ ପୂର୍ବରୁ ଡଙ୍ଗା ହିଁ ଏକମାତ୍ର ବାଟ ଥିଲା। କିନ୍ତୁ ଟି-ସେତୁ ନିର୍ମାଣ ହେବା ପରେ ପୀଠକୁ ସିଧାସଳଖ ବାଟ ଫିଟି ଥିଲା। କୋଭିଡ କଟକଣା ପରେ ଚଳିତ ବର୍ଷ ବିନା ବାଧାରେ ଯାତ୍ରା ଆୟୋଜନ ହେଉଥିବା ବେଳେ ଜନସମାଗମକୁ ନେଇ ପ୍ରଶାସନ ଆକଳନ କରି ପାରିନଥିଲା। ଭିଡ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଗଲା ନାହିଁ। ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଏଭଳି ପରିସ୍ଥିତି ଉପୁଜିଲା ଯେ ପୀଠରୁ ବାହାରିବା ପାଇଁ କିଏ ପୋଲରୁ ପାଣିକୁ ଡେଇଁଲା ତ କିଏ ପାଣି ଭିତରେ ପଶି କୂଳକୁ ଆସିବାକୁ ଉଦ୍ୟମ କଲେ। ରାତି ୮ଟାସୁଦ୍ଧା ପୀଠ ପରିସରରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣା ଯାଇଛି ବୋଲି ଆଠଗଡ଼ ଉପଜିଲ୍ଲାପାଳ ‌ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି। ଆଉ ଦୁଇ ଦିନ ଯାତ୍ରା ହେବାକୁ ଥିବା ବେଳେ ତାହାକୁ ବନ୍ଦ କରି ଦିଆଯାଇଛି।

ଶନିବାର ଦିନ ପ୍ରାୟ ୧୧ଟାରେ କୁହୁଡ଼ି କମିବା ପ‌ରେ ଅଚାନକ ପୀଠରେ ଭିଡ଼ ବଢ଼ିବା ଆରମ୍ଭ ହୋଇଥିଲା। ଅପରାହ୍ନ ବେଳକୁ କଟକ, ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୨ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଟି-ସେତୁ ଦେଇ ପୀଠରେ ପହଞ୍ଚି ଯାଇଥିଲେ। ଫଳରେ ଟି-ସେତୁ ଓ ପ୍ରାୟ ୫୦ ମିଟର ଦୂରତାରେ ଥିବା ପୀଠ ଅଞ୍ଚଳରେ ଅସମ୍ଭବ ଗହଳି ହୋଇଯାଇଥିଲା। ଅପରାହ୍ନ ପ୍ରାୟ ୪ଟାରେ ଧାଡ଼ିରେ ଶୃଙ୍ଖଳିତ ଦର୍ଶନ ବଦଳରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଭକ୍ତମାନେ ମନ୍ଦିର ବାହାରକୁ ଆସିପାରି ନ ଥିଲେ କି ଟି-ସେତୁରେ ଥିବା ଭକ୍ତ ଭିତରକୁ ଯାଇପାରି ନ ଥିଲେ। ଏହାପରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଟି-ସେତୁ ପାହାଚର ଅନତି ଦୂରରେ ବାଙ୍କୀ ପାଥପୁର ଅଞ୍ଚଳର ଅଞ୍ଜନା ସ୍ବାଇଁ (୫୨)ଙ୍କ ସମେତ ୫୦ରୁ ଅଧିକ ଶିଶୁ, ମହିଳା, ପୁରୁଷ ଓ ବୃଦ୍ଧବୃଦ୍ଧା ତଳେ ପଡ଼ି ଯାଇଥିଲା। ଲୋକଙ୍କ ଗୋଡ଼ ତଳେ ବହୁ ସମୟ ପର୍ଯ୍ୟନ୍ତ ଅଞ୍ଜନା ଚାପି ହୋଇ ରହିଯାଇଥିଲା ବେଳେ ଦଳାଚକଟାରେ ପଡ଼ି ଯାଇଥିବା ବହୁ ଲୋକ ଅଣନିଃଶ୍ବାସୀ ହୋଇପଡ଼ିଥିଲେ। କିଛି ଲୋକ ଟି-ସେତୁ ରେଲିଂରେ ଝୁଲି ପଡ଼ିଥିବା ଦେଖାଯାଇଥିଲା।

ସେହିପରି କେତେକ ଶ୍ରଦ୍ଧାଳୁ ନଦୀ ବାଲି ଉପରେ ମଧ୍ୟ ପଡ଼ି ଯାଇଥିଲେ। ଖବର ପାଇ ଆମ୍ବୁଲନ୍ସ ପହଞ୍ଚି ଥିଲେ ମଧ୍ୟ ପ୍ରବଳ ଭିଡ଼ ଯୋଗୁଁ ଆହତମାନଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଥିଲା। ପରେ ପୁଲିସ ପ୍ରଶାସନ ସହଯୋଗରେ ଆହତମାନଙ୍କୁ ନିକଟସ୍ଥ ବଡ଼ମ୍ବା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅଞ୍ଜନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶୋକ, ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ସିଂହନାଥ ମକର ମେଳାରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସମସ୍ତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସାସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts