(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମୋଦୀ ସରକାର ୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ସରକାରୀ ସମ୍ପତ୍ତି ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସନାଲ୍ ମନିଟାଇଜେସନ ପାଇପଲାଇନ୍ ଯୋଜନାର ରୂପରେଖ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ମନିଟାଇଜେସନ ଯୋଜନାରେ ଓଡ଼ିଶାର , ଭୁବନେଶ୍ୱର ବିମାନବନ୍ଦର ଓ ପାରାଦୀପ ବନ୍ଦର ମଧ୍ୟ ରହିଥିବା ଜଣାପଡ଼ିଛି ।
ଏହି ସୋମବାର ଦିନ ୬ ଲକ୍ଷ କୋଟି ଟଙ୍କାର ନ୍ୟାସନାଲ ମନିଟାଇଜେସନ ପାଇପଲାଇନ୍ ଯୋଜନାରୁ ପାଣ୍ଠି ଯୋଗାଡ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ଏହି ଯୋଜନା ରେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଅ-ବ୍ୟବହୃତ ସଂପତି ବିକ୍ରି କରି ପାଣ୍ଠି ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।
ବିକ୍ରି କିମ୍ବା ପ୍ରାଇଭେଟାଇଜେସନରେ ବିକାଶ ହେବାକୁ ଥିବା ସଂପତି ମଧ୍ୟରେ ୩୧ଟି ବନ୍ଦର, ୨୫ଟି ବିମାନବନ୍ଦର, ୨ଟି ଜାତୀୟ ଷ୍ଟାଡିୟମ ଏବଂ ୧୬୦ଟି କୋଇଲା ପ୍ରକଳ୍ପ ରହିଛି । ସେହିପରି କେତେକ ହୋଟେଲରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ପ୍ରସ୍ତାବ ରହିଥିବା ନୀତି ଆୟୋଗ କହିଛନ୍ତି ।
ପ୍ରାଇଭେଟାଇଜେସନ୍ ଜରିଆରେ ଦେଶର ଅନ୍ୟ ୨୪ଟି ବିମାନବନ୍ଦର ସହ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ବିକାଶ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦଫାରେ ଅନ୍ୟ ୫ଟି ବିମାନବନ୍ଦର ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ସହ ଭୁବନେଶ୍ୱ ବିମାନବନ୍ଦରର ବିକାଶ ୨୦୨୨ ସୁଦ୍ଧା କରାଯିବ ବୋଲି ଜଣାପଡିଛି।
ପିପିପି ମୋଡରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ବିକାଶ ପାଇଁ ୧୩ ହଜାର ୯୪୫ କୋଟି ଟଙ୍କା ନିବେଶ ହେବ । ମନିଟାଇଜେସନ୍ ଜରିଆରେ ଦେଶର ଅନ୍ୟ ୩୦ଟି ବନ୍ଦର ସହ ପାରାଦୀପ ବନ୍ଦରର ମଧ୍ୟ ଅଧିକ ପୁଞ୍ଜି ନିବେଶ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ପାରାଦୀପ ବନ୍ଦରର ବିକାଶ କରିବାକୁ ୧୪ ହଜାର ୪୮୩ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।
୨୦୨୨ରୁ ୨୦୨୫ ମଧ୍ୟରେ ୨ଟି ପ୍ରକଳ୍ପ ମାଧ୍ୟମରେ ପାରାଦୀପ ବନ୍ଦର ଅଧିକ ବିକଶିତ ହେବ। ଆଇଟିଡିସି ଅଧିନରେ ଥିବା ଭୁବନେଶ୍ୱରର ହୋଟେଲ କଳିଙ୍ଗ-ଅଶୋକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଠିକା ସଂସ୍ଥା ହାତରେ ଟେକି ଦିଆଯିବ।
ସେହିପରି କ୍ଷତିରେ ଚାଲୁଥିବା ପୁରୀର ନିଳାଚଳ ହୋଟେଲରୁ ପୁଞ୍ଜି ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର। ସୂଚନାଯୋଗ୍ୟ ଯେ ଏହି ହୋଟେଲର ୮୯ ପ୍ରତିଶତ ସେୟାର କେନ୍ଦ୍ର ଓ ୧୧ ପ୍ରତିଶତ ରାଜ୍ୟ ପାଖରେ ରହିଛି ।