(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ସ୍ଥାନ ପାଇଛି ଓଡ଼ିଶାର ବହୁ ପ୍ରକଳ୍ପ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସମେତ ପାରାଦୀପ ବନ୍ଦର, ଭୁବନେଶ୍ୱରସ୍ଥିତ କଳିଙ୍ଗ ଅଶୋକା ହୋଟେଲ ଓ ପୁରୀସ୍ଥିତ ହୋଟେଲ ନୀଳାଚଳ ଏହି ତାଲିକାରେ ରହିଛି। ତେବେ ଏହାକୁ ବିରୋଧ କରି ଏଆଇଟିୟୁସି ପକ୍ଷରୁ ଆସନ୍ତା ୨୦ ତାରିଖରେ ରାଜଧାନୀ ଭୁବନେଶ୍ଵରରେ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହେବ। ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନା ସାଂଗଠନିକ ବିବରଣୀ ପ୍ରଦାନ କରିଥିଲେ।

ମୋଦୀ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରି ଏବଂ ବିଶେଷ କରି ଓଡ଼ିଶାର ଦୁଇଟି ପ୍ରମୁଖ ପ୍ରକଳ୍ପ ପାରାଦୀପ ବନ୍ଦର ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ବିକ୍ରି ବିରୋଧରେ ସେପ୍ଟେମ୍ବର ୨୦ ତାରିଖ ଦିନ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଏଆଇଟିୟୁସି।

ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାରକୁ ଦାବିପତ୍ର ପ୍ରଦାନ କରାଯିବ। ସେହିପରି ୧୫ ତାରିଖ ଦିନ ପାରାଦୀପ ଠାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବା ନେଇ ଏଆଇଟିୟୁସି ପକ୍ଷରୁ ଆହ୍ୱାନ ଦିଆଯାଇଛି। ସରକାରଙ୍କର ବିଭିନ୍ନ ସ୍କିମ୍ ଅଧୀନରେ କାମ କରୁଥିବା ଅଙ୍ଗନବାଡ଼ି, ଆଶା, ପାଚିକା ସହାୟିକାଙ୍କ ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମାନଙ୍କ ଦ୍ୱାରା ମିଳିତ ଭାବେ ଆସନ୍ତା ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନକୁ ସଫଳ କରିବାପାଇଁ ମଧ୍ୟ ଆହ୍ଵାନ ଦିଆଯାଇଛି। ସେହିପରି କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଆସନ୍ତା ୨୫ ତାରିଖରେ ଭାରତ ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଏଆଇଟିୟୁସି ରାଜ୍ୟବ୍ୟାପୀ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ନାରାୟଣ ରେଡ୍ଡୀ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ୍ଲ ତ୍ରିପାଠୀ, ଜୟନ୍ତ ଦାସ, ହରପ୍ରିୟା ସ୍ୱାଇଁ, ଦେବାଶିଷ ଘୋଷ, ପ୍ରମୋଦ କୁମାର ମହାନ୍ତି, ମାୟାଧର ନାୟକ, ମିତ୍ରଭାନୁ ପୋଢ, ସଦାନନ୍ଦ ସାହୁ, ନମିତା ସାହୁ, ଅଳକ ମିଶ୍ର, ସତ୍ୟବାଦୀ ବାଘ, ସୁର ଜେନା, ଶ୍ୟାମ ସୁନ୍ଦର ଜେନା, ବିନୋଦ ବେହେରା, ଭ୍ରମରବର ରାଉତ, ବିଷ୍ଣୁ ମୁଦୁଲି, ଶିଶିର ମଲ୍ଲିକ, ଏନ୍. ଗୋପାଲ୍, ସୌଦାମିନି ଦାସ, ସିଭିଏନ୍ ରାଓ, ଉଗ୍ରସେନ ମଢୁଆଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣରୁ ୯୦୦ କୋଟି ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ସେହିଭଳି ପାରାଦୀପ ବନ୍ଦରର ୪ଟି ପ୍ରକଳ୍ପର ମନିଟାଇଜେସନ୍ ଲାଗି ନିଷ୍ପତ୍ତି ନେଇଛନ୍ତି । ମନିଟାଇଜେସନ୍ ପାଇପଲାଇନ୍ ଅନୁସାରେ, ୨୦୨୨ ଜାନୁଆରୀରେ ପାରାଦୀପ ବନ୍ଦରର ଇନର ହାର୍ବର ଫେସିଲିଟିର ଆଧୁନିକୀକରଣ ଓ ବଡ଼ ଜାହାଜ ଚଳାଚଳ ଲାଗି ୱେଷ୍ଟର୍ଣ୍ଣ ଡକ୍ କ୍ୟାିଭ୍ ବର୍ଥର ବିକାଶ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯିବ ।

ଏତଦ୍ ବ୍ୟତୀତ ଇଣ୍ଡିଆନ୍ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ଅଧୀନରେ ଥିବା ଭୁବନେଶ୍ୱରର ହୋଟେଲ କଳିଙ୍ଗ ଅଶୋକା ଓ ପୁରୀର ହୋଟେଲ ନୀଳାଚଳର ଘରୋଇକରଣ ଲାଗି ମଧ୍ୟ ଜାତୀୟ ମନିଟାଇଜେସନ୍ ପାଇପଲାଇନରେ ଯୋଜନା କରିଛନ୍ତି । କେନ୍ଦ୍ର ସରକାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସୋମବାର ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ପୋଗ୍ରାମ ବା ଏନ୍ଏମ୍ପିର ଶୁଭାରମ୍ଭ କରିଥିଲେ।