ରାଜ୍ୟସଭାରେ ଉପରାଷ୍ଟ୍ରପତିଙ୍କୁ ବିଦାୟକାଳୀନ ଅଭିବାଦନ; ସାଂସଦଙ୍କ ଭାଷଣରେ ଭାବବିହ୍ୱଳ ହେଲେ ଭେଙ୍କୟା ନାଇଡୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟସଭାରେ ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଙ୍କୁ ବିଦାୟ ଦିଆଯାଇଛି। ଗୃହର ସାଂସଦମାନେ ବିଦାୟକାଳୀନ ଅଭିବାଦନ ଜଣାଇବା ବେଳେ ଆଜି ଭେଙ୍କୟା ନାଇଡୁ ରାଜ୍ୟସଭାରେ ଭାବବିହ୍ୱଳ ହୋଇପଡ଼ିଥିଲେ । ଏହି ବିଦାୟ ସମୟରେ ସାଂସଦ ମାନଙ୍କ ଅଭିଭାଷଣରେ ତାଙ୍କ ଆଖି ଛଳ ଛଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

ଏହି ଅବସରରେ ରାଜ୍ୟସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଗୃହ ପାଇଁ ଏ ହେଉଛି ଗୋଟିଏ ଆବେଗିକ ମୁହୂର୍ତ୍ତ। ସେ ଆହୁରି କହିଛନ୍ତି ଯେ, ଆପଣ (ନାଇଡୁ) ସଦାସର୍ବଦା କହନ୍ତି ଯେ, ଆପଣ ରାଜନୀତିରୁ ଅବସର ଗ୍ରହଣ କରିଛନ୍ତି କିନ୍ତୁ, ଜନସାଧାରଣଙ୍କ ଜୀବନରୁ ନୁହେଁ.।ରାଜ୍ୟସଭାରୁ ଆପଣଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥାଇ ପାରେ ମାତ୍ର ଆଗାମୀ ବର୍ଷମାନଙ୍କରେ ଆପଣଙ୍କ ଅନୁଭୂତି ଦେଶକୁ ମାର୍ଗଦର୍ଶନ କରାଇବ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଲେ ଯେ, ରାଜ୍ୟସଭାର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଗୃହର ଅଗ୍ରଗତିରେ ସହାୟକ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ରାଜ୍ୟସଭାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଛି।

ଏହି ବିଦାୟୀ ଅଭିବାଦନ ସମୟରେ ‘ତୃଣମୂଳ କଂଗ୍ରେସ’ ସାଂସଦ ଡେରେକ୍‌ ଓ’ ବୟିଏନ୍‌, ଭେଙ୍କୟା ନାଇଡୁ ବାଲ୍ୟକାଳରୁ ତାଙ୍କ ମାଆଙ୍କୁ ହରାଇଥିବା କଥା କହିଥିଲେ। ଏହି ସମୟରେ ଭେଙ୍କୟାଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା।

ରାଜ୍ୟସଭାର ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ଅବସରରେ କହିଛନ୍ତି ଯେ, ସେମାନଙ୍କର ଆଦର୍ଶ ଭିନ୍ନ ହୋଇଥିଲେ ମଧ୍ୟ ଚାପର ବଶବର୍ତ୍ତୀ ହୋଇ ନିଜର ଦାୟିତ୍ବ ନିର୍ବାହ କରିଥିବା ନାଇଡୁଙ୍କ ପ୍ରତି ସେ କୃତଜ୍ଞ।

Related Posts