ଶିବସେନାର ମୁଖପତ୍ର ‘ସାମନା’ରେ ଉଦ୍ଧବଙ୍କ ସଂପାଦକୀୟ; କଂଗ୍ରେସକୁ ପ୍ରଶଂସା, ମମତା ବାନାର୍ଜୀ ଓ ଶରତ ପାୱାରଙ୍କୁ ତେରେଛା ବାଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସକୁ ପ୍ରଶଂସା କରିବା ସହିତ ସିଧାସଳଖ ନ ହେଲେ ମଧ୍ୟ ଏନସିପି ସୁପ୍ରିମୋ ଶରତ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ସେ ଦଳର ମୁଖପତ୍ର ‘ସାମନା’ ଜରିଆରେ ତାଙ୍କ ସହଯୋଗୀ ଏନସିପିଙ୍କୁ ତେରେଛା ବାଣ ମାରିଛନ୍ତି। ଗତ ସପ୍ତାହରେ କଂଗ୍ରେସ ପକ୍ଷରୁ ମୁଦ୍ରାସ୍ଫୀତି, ଜିଏସଟି ଓ ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିଥିଲା। ହେଲେ ଏହି ବିକ୍ଷୋଭରେ ଏନସିପି କିମ୍ବା କୌଣସି ବିରୋଧୀ ଦଳ ସାମିଲ ହୋଇ ନଥିଲେ। ଏହାକୁ ନେଇ ଉଦ୍ଧବ ଠାକରେ ସାମନାରେ ସମ୍ପାଦକୀୟ ଲେଖି ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି।

ନିଜ ସମ୍ପାଦକୀୟରେ ଉଦ୍ଧବ ଲେଖିଛନ୍ତି ଯେ “କେନ୍ଦ୍ର ସରକାର ଇଡି ଓ ସିବିଆଇ ଦ୍ୱାରା ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ବିରୋଧୀ ଦଳଗୁଡ଼ିକ କଂଗ୍ରେସର ବିକ୍ଷୋଭରୁ ନିଜକୁ ଦୂରେଇ ରଖିବା ଓ ଏହାକୁ ଅଲଗା ନଜରରେ ଦେଖିବା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ।” କେନ୍ଦ୍ର ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଉଦ୍ଧବ ଠାକରେ ପ୍ରଶଂସା କରିଛନ୍ତି। ଏଥିସହ ସଞ୍ଜୟ ରାଉତଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ଶିବସେନା ମଧ୍ୟ ସମାନ ଢଙ୍ଗରେ ଜୋରଦାର ବିକ୍ଷୋଭ କରିଥିଲା ବୋଲି ଉଦ୍ଧବ କହିଛନ୍ତି।

ସେ କହିଛନ୍ତି, “ଏହି ପ୍ରସଙ୍ଗରେ ଅନ୍ୟ ବିରୋଧୀ ଦଳଗୁଡ଼ିକର ଭୂମିକା ପ୍ରଶ୍ନ ଘେରରେ। ଏହା ଗଣତନ୍ତ୍ର ଓ ସ୍ୱାଧୀନତା ପାଇଁ ଚିନ୍ତାର ବିଷୟ। ଇଡିକୁ ବ୍ୟବହାର କରି ମହାରାଷ୍ଟ୍ର ସରକାରକୁ ଭାଙ୍ଗି ଦିଆଗଲା। ଏହାପରେ ନୂଆ ସରକାର ଗଠନ ହୋଇଛି। ଏହି କୌଶଳକୁ ଅବଲମ୍ବନ କରି ମୁଦ୍ରାସ୍ଫୀତି ଓ ବେକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଚାପି ଦିଆଯାଉଛି। ସମସ୍ତେ ଥରେ ଏକଥା ଭାବନ୍ତୁ।”ମୁଖପତ୍ର ସାମନାରେ ଉଦ୍ଧବ ଠାକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ପ୍ରଥମଥର ପାଇଁ ଶିବସେନା ପକ୍ଷରୁ ଏପରି ଆଭିମୁଖ୍ୟ ପ୍ରଦର୍ଶନ କରାଯାଇଛି।

ସମ୍ପାଦକୀୟରେ କୁହାଯାଇଛି, “ଉପ ରାଷ୍ଟ୍ରପତି ନିର୍ବାଚନରେ ଟିଏମସି ଭୋଟ ନ ଦେବା ଘଟଣାକୁ ଆମେ ଗୁରୁତ୍ୱର ସହ ନେଇଛୁ। ଏହା ଏକ ଚିନ୍ତାର ବିଷୟ। ବେଙ୍ଗଲରେ ଇଡି ଓ ସିବିଆର ଆକ୍ସନ ବୃଦ୍ଧି ପାଇଛି। ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ବି ଇଡି ଟାର୍ଗେଟ କରିଛି। ତଥାପି ସେମାନେ ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟମାନଙ୍କ ଆଭିମୁଖ୍ୟ କିନ୍ତୁ ବୁଝାପଡ଼ିନି।”

ଏହି ସମ୍ପାଦକୀୟରେ ଶିବସେନା ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ଆହ୍ୱାନ ଦେଇଛି। ସମସ୍ତେ ମତପାର୍ଥକ୍ୟକୁ ଭୁଲି ଏକାଠି ବିଜେପି ବିରୋଧରେ ଲଢ଼ିବା ଦରକାର। ବିଜେପିର ଶକ୍ତି ହେଉଛି ବିଭାଜିତ ବିରୋଧୀ। ଏହା ବିରୋଧୀଙ୍କ ପାଇଁ ଗୋଟିଏ ଶିକ୍ଷା। ଯଦି ପ୍ରକୃତରେ ସେମାନେ ସାହାସୀ, ତେବେ ନିଶ୍ଚିତ ଏଥିରୁ ବହୁଛି କିଛି ଶିଖି ପାରିବେ ବୋଲି ଉଦ୍ଧବ ନିଜ ସଂପାଦକୀୟ ରେ ଲେଖିଛନ୍ତି।

Related Posts