(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପୁଣି ଥରେ ରଣ ହୁଙ୍କାର ଦେଇଛନ୍ତି। ଏହା ପୂର୍ବରୁ ରବିବାର ୟୁପି ମୁଜାଫରନଗରରେ ବିଭିନ୍ନ ଚାଷୀ ସଂଗଠନର ନେତା ଏକାଠି ହୋଇ ଚାଷୀ ମହାପଞ୍ଚାୟତ କରିଛନ୍ତି। ଏହି ସମାବେଶ ଜରିଆରେ ଶାସକ ଦଳ ବିଜେପିକୁ ଆଗାମୀ ଦିନରେ ଘେରିବା ପାଇଁ ଚାଷୀ ମାନେ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଦାବି ହାସଲ କରିବା ଲାଗି ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ପାଇଁ ସେମାନେ ଆହ୍ବାନ ଦେଇଛନ୍ତି। ଏହି ଦିନ ସାରା ଦେଶରେ ଟ୍ରେନ ଏବଂ ବସ ଯାତ୍ରା ବନ୍ଦ ରହିବ ବୋଲି ଚାଷୀ ନେତା କହିଛନ୍ତି।
ଭାରତ କିଷାନ ୟୁନିଅନର ପ୍ରବକ୍ତା ରାକେଶ ଟିକାୟତ, ନରେଶ ଟିକାୟତ, ୟୁନାଇଟେଡ କିଷାନ ମୋର୍ଚ୍ଚାର ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ବହୁ ନେତା ଏକାଠି ହୋଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ନିର୍ବାଚନରେ ବିଜେପି ବିରୋଧରେ ଏହି ସଂଗଠନ ରାଲି କରିବ ବୋଲି ସ୍ପଷ୍ଟ କରିଛନ୍ତି।
ରାକେଶ ଟିକାୟତ କହିଛନ୍ତି ଯେ କେନ୍ଦ୍ର ସରକାର ଘରୋଇ କଂପାନୀମାନଙ୍କ ହାତରେ ଦେଶକୁ ବିକ୍ରି କରିବାକୁ ବସିଛନ୍ତି। କିନ୍ତୁ ଚାଷୀମାନେ ଏମିତି ହେବାକୁ ଦେବେ ନାହିଁ। ଦେଶକୁ ରକ୍ଷା କରିବା ଲାଗି ସେମାନେ ସଂଗ୍ରାମ ଜାରି ରଖିବେ। ସରକାରଙ୍କ ଏଭଳି ଅାଭିମୁଖ୍ୟ ବିରୋଧରେ ସାରା ଦେଶରେ ସମାବେଶ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଜାନୁଆରୀ ୨୨ ତାରିଖ ପରେ କେନ୍ଦ୍ର ସରକାର ଆଉ ଚାଷୀମାନଙ୍କ ସହିତ ଆଲୋଚନା କରୁନାହିଁ। ଗତ ୯ ମାସ ମଧ୍ୟରେ ୬୦୦ ଆନ୍ଦୋଳନକାରୀ ପ୍ରାଣ ହରାଇଲେଣି। କିନ୍ତୁ ସେମାନଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ଲାଗି ସରକାରଙ୍କ ପାଖରେ ସମୟ ନାହିଁ ବୋଲି ଟିକାୟତ କହିଛନ୍ତି।
ସେହିପରି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ମୁଜାଫରନଗରରୁ ମିଶନ ଆରମ୍ଭ, ଆଗକୁ ବନାରସ, ଲକ୍ଷ୍ନୌ, ଗୋରଖପୁରରେ ମଧ୍ୟ ବିଜେପି ବିରୋଧରେ ପ୍ରଚାର କରିବୁ। ପ୍ରତ୍ୟେକ ଜିଲ୍ଲାରେ ସଂଯୁକ୍ତ କିସାନ୍ ମୋର୍ଚ୍ଚାର ସଂଗଠନ ଗଠନ ହେବ। ମୁଁ ଶପଥ ନେଇଛି ଯେ ତିନି କୃଷି ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ମୁଁ ମୋ ଘରକୁ ଫେରିବି ନାହିଁ ବୋଲି ଟିକାୟତ ମହାପଞ୍ଚାୟତରେ ଘୋଷଣା କରିଛନ୍ତି।
ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି, ଆନ୍ଦୋଳନ ପ୍ରତି ସବୁ ଜାତି, ଧର୍ମ, ରାଜ୍ୟ, ବର୍ଗ, କ୍ଷୁଦ୍ର ବ୍ୟବସାୟୀ ଏବଂ ସମାଜର ସବୁ ବର୍ଗର ଲୋକଙ୍କର ସମର୍ଥନ ରହିଛି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିବ।