(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଣିକି ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ କରି ଟ୍ରେନ୍ ଯାତ୍ରା କରି ପାରିବେ ଯାତ୍ରୀ। ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ରେଳ ମନ୍ତ୍ରଣାଳୟ କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ୱାରା ଯାତ୍ରା କରିବା ପାଇଁ ଅନୁମତି ପ୍ରଦାନ କରିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଯାତ୍ରୀଙ୍କ ପାଇଁ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି।
ତେଣୁ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ ରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଯାତ୍ରା ପାଇଁ ଅନୁମତି ଦିଆଯାଇଥିବା ବେଳେ ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ 08521/08522 ଗୁଣୁପୁର-ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍, 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍, 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ସ୍ପେଶାଲ ଏବଂ 07265/07266 କାକିନଡା-ବିଶାଖାପାଟନମ୍-କାକିନଡା ବିଶେଷ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ଦ୍ବାରା ରେଳ ଯାତ୍ରା ପାଇଁ ଅନୁମତି ଦିଆଯାଇଛି।
ସେହିପରି ଖୁବ୍ ଶୀଘ୍ର ଚଳାଚଳ କରିବାକୁ ଥିବା ଖୋର୍ଦ୍ଧା ରୋଡ଼-ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସ୍ପେଶାଲ୍ ଏବଂ ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର ସ୍ପେଶାଲ୍ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନ ଯାତ୍ରା ସମ୍ବନ୍ଧୀୟ ଏସ୍ଓପି ଅନୁଯାୟୀ, ସମ୍ପୂର୍ଣ୍ଣ ପ୍ରତୀକ୍ଷା ତାଲିକା ଥିବା ଟ୍ରେନ ଟିକେଟ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ । ଅଣସଂରକ୍ଷିତ ୟୁଟିଏସ ଟିକେଟ୍ କୁ ବର୍ତ୍ତମାନ ଏହି ସବୁ ଟ୍ରେନ୍ ଗୁଡିକରେ ଅନୁମତି ଦିଆଯାଉଛି ଯେଉଁଥିରେ କେବଳ ଏହିପରି ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି ।
ଟ୍ରେନ୍ ଯାତ୍ରା ସମୟରେ ଷ୍ଟେସନରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଉଅଛି ।