(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର: କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ ଦୀର୍ଘ ଦିନ ହେବ କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନର ସବୁଠାରୁ ବଡ ପ୍ରଭାବ ପଞ୍ଜାବ ଏବଂ ହରିୟାଣାରେ ଦେଖାଯାଉଛି। ପ୍ରତିଦିନ ବିଜେପି ନେତାମାନେ ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଆନ୍ଦୋଳନକାରୀ ଚାଷୀ ସରକାର ଏବଂ ବିଜେପି ନେତା ମାନଙ୍କୁ କଡା ଚେତବନୀ ଦେଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ମନ୍ତ୍ରୀ, ବିଜେପି ନେତାଙ୍କୁ ପତାକା ଉଡାଇବାକୁ ଦିଆଯିବନି ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ।
ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ଆନ୍ଦୋଳନକାରୀ କୃଷକମାନେ କହିଛନ୍ତି ଯେ ଅଗଷ୍ଟ 15 ରେ ବିଜେପି ନେତା ଓ ମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ କରିବାକୁ ଦିଆଯିବ ନାହିଁ। ଏହା ସହିତ କୃଷକମାନେ କହିଛନ୍ତି ଯେ ସେହି ଦିନ ସମଗ୍ର ହରିୟାଣାରେ ମଧ୍ୟ ଏକ ବଡ଼ ପ୍ରଦର୍ଶନ କରାଯିବ। ଚାଷୀ ନେତା କହିଛନ୍ତି ଯେ ବିଜେପି ନେତା ମାନଙ୍କୁ ପତାକା ଉତ୍ତୋଳନ କରାଇ ଦିଆଯିବ ନାହିଁ । କୃଷକମାନେ ହରିୟାଣାରେ ଟ୍ରାକ୍ଟର ପରେଡ ବାହାର କରି ବିଜେପି ନେତାମାନଙ୍କୁ କଳା ପତାକା ଦେଖାଇବାକୁ ଘୋଷଣା କରିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, 26 ଜାନୁଆରୀରେ ଏକ ଟ୍ରାକ୍ଟର ରାଲିରେ ୩ ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଲାଲ୍ କିଲ୍ଲାରେ ପ୍ରବେଶ କରିଥିଲେ। ଏହି ସମୟରେ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା ଏବଂ ବହୁ ସଂଖ୍ୟକ ପୋଲିସ ଆହତ ହୋଇଥିଲେ। ଏହି ମାମଲାରେ ପ୍ରାୟ 151 ଜଣଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଏହି ହିଂସା ମାମଲାରେ ସମସ୍ତ ଲୋକଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ସହିତ କୋର୍ଟ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦୀପ ସିଦ୍ଧୁଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସୀମାରେ 7 ମାସରୁ ଅଧିକ ସମୟ ଧରି ଚାଷୀଙ୍କ ଆନ୍ଦୋଳନ ଚାଲିଛି। କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ନେଇ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ବିଜେପି ନେତାଙ୍କ ସାମାଜିକ ବୟକଟ ଘୋଷଣା କରିଛନ୍ତି। ହରିୟାଣାର ଲୋକମାନେ ମଧ୍ୟ ବିଜେପିର ସହଯୋଗୀ ଜେଜେପିକୁ ବୟକଟ ଘୋଷଣା କରିଛନ୍ତି। ଉଭୟ ଦଳର ନେତାଙ୍କ କୌଣସି ସାଧାରଣ କାର୍ଯ୍ୟକ୍ରମକୁ ବିରୋଧ କରିବାକୁ କୃଷକମାନେ ଚେତାବନୀ ଦେଇଛନ୍ତି।
କୃଷକଙ୍କ ବିରୋଧ ଯୋଗୁଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ଜିଲ୍ଲା କର୍ଣ୍ଣଲରେ ଏକ ରାଲି ମଧ୍ୟ ବାତିଲ୍ କରି ଥିଲେ। ଚାଷୀମାନେ ସେମାନଙ୍କ ହେଲିକପ୍ଟରକୁ ମଧ୍ୟ ଅବତରଣ କରିବାକୁ ଦେଇନଥିଲେ। ଏହା ବ୍ୟତୀତ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶାନ୍ତ ଚୌଟାଲାଙ୍କ ସମେତ ଅଧିକାଂଶ ବିଜେପି ଏବଂ ଜେଜେପି ନେତା ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହୋଇଛନ୍ତି। ସମ୍ପ୍ରତି କୃଷକମାନେ ହରିୟାଣା ବିଧାନସଭା ଡେପୁଟି ବାଚସ୍ପତି ରଣବୀର ଗଙ୍ଗାୱାଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହା ପରେ 100 ଜଣଙ୍କ ବିରୋଧରେ ମଧ୍ୟ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା।