ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୋସିଆଲ ମିଡିଆରେ ଟ୍ରେନ୍‌ର ଏକ ବଗିର ଶୌଚାଳୟ ଭିତରେ ବାସନକୁସନ ଧୁଆଯାଉଥିବାର ଭିଡିଓ ଭାଇରାଲ । ଏହା ପରେ ଖାଦ୍ୟ ନିୟାମକ ସଂସ୍ଥା (ଏଫ୍‌ଏସ୍‌ଏସ୍‌ଏଆଇ) ଇଣ୍ଡିଆନ୍‌ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜମ କର୍ପୋରେଶନ ଲିମିଟେଡ୍‌ (ଆଇଆର୍‌ସିଟିସି)କୁ ନୋଟିସ ଜାରି କରିଛି ।ଏହି ଭିଡିଓରେ ଟ୍ରେନ୍‌ର ଏକ ବଗିର ଶୌଚାଳୟ ଭିତରେ ବାସନକୁସନ ଧୁଆଯାଉଥିବା ଦେଖିବାକୁ ମିଳିଛି ।

ଯଦି ଏହି ଘଟଣା ସତ୍ୟ ହୋଇଥାଏ, ତେବେ ଏଫ୍‌ଏସ୍‌ଏସ୍‌ଏଆଇ ଏହି କାର୍ଯ୍ୟକୁ ଆପତ୍ତିଜନକ ବୋଲି ଦର୍ଶାଇଛି। କାରଣ ଏହାଦ୍ବାରା ଖାଦ୍ୟ ଦୂଷିତ ହୋଇପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଟ୍ରେନ୍‌ ନମ୍ବର ୧୨୨୨୩ ଏଲ୍‌ଟିଟି ଇଆର୍‌ଏସ୍‌ ଦୁରନ୍ତୋରେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀ ଏହି ଭିଡିଓ କରିଥିଲେ।

ଆଇଆର୍‌ସିଟିସି ଦ୍ବାରା ନିୟୋଜିତ କ୍ୟାଟରିଂ କର୍ମଚାରୀ କିମ୍ବା ଚୁକ୍ତିଭିତ୍ତିକ ବ୍ୟକ୍ତିଙ୍କ ଦ୍ବାରା ବାସନକୁସନ ଧୁଆଯାଉଥିଲା। ଏଫ୍‌ଏସ୍‌ଏସ୍‌ଏଆଇ ଏହି ବିଷୟରେ ତୁରନ୍ତ ଆଇଆର୍‌ସିଟିସିଠାରୁ ଜବାବ ତଲବ କରିଛିି। ଖାଦ୍ୟ ସୁରକ୍ଷା ଏବଂ ମାନକ (ଖାଦ୍ୟ ବ୍ୟବସାୟର ଲାଇସେନ୍ସ ଏବଂ ପଞ୍ଜୀକରଣ) ନିୟମାବଳୀ, ୨୦୧୧ର ଅନୁସୂଚୀ ୪ ଅନୁଯାୟୀ, ଖାଦ୍ୟ ବ୍ୟବସାୟ ପରିଚାଳକମାନଙ୍କୁ ସ୍ବାସ୍ଥ୍ୟକର ପ୍ରକ୍ରିୟାକରଣ, ପରିଚାଳନା, ଧୋଇବା ଏବଂ ସଫା କରିବା ଅଭ୍ୟାସ ବଜାୟ ରଖିବାକୁ ପଡ଼ିଥାଏ। ଚଳିତ ମାସ ଆରମ୍ଭରେ କିକ୍‌-କମର୍ସ ସଂସ୍ଥା ବ୍ଲିଙ୍କିଟ୍‌ରେ ନିମ୍ନମାନର ଅଣ୍ଡା ବିକ୍ରି ହେଉଥିବା ନେଇ ଗ୍ରାହକଙ୍କ ଅଭିଯୋଗ ଉପରେ ଏଫ୍‌ଏସ୍‌ଏସ୍‌ଏଆଇ ସ୍ପଷ୍ଟୀକରଣ ମାଗିଥିଲା।