ସାମାଜିକ ଗଣମାଧ୍ୟମରେ ମୋ ଛବି ଖରାପ କରିବାକୁ ଉଦ୍ୟମ କରୁଛନ୍ତି ଅନୁଭବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ: କଟକ ସାଇବର ଥାନାରେ ବର୍ଷାଙ୍କ ଏତଲା

କଟକ: ଅଭିନେତା ତଥା ସାଂସଦ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି | ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ କରି ବର୍ଷକୁ ଟାର୍ଗେଟ କରୁଥିବା ବେଳେ, ସେପଟେ ବର୍ଷା ଆଇନ ର ସାହାଯ୍ୟ ନେଇଛନ୍ତି | ଅନୁଭବଙ୍କ ବିରୋଧରେ ପୁଣି ଆଉ ଏକ ଏତଲା ଦେଲେ ଦେଇଛନ୍ତି ବର୍ଷା।

କଟକ ସାଇବର ଥାନାର ସେ ଏହି ଏତଲା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଅନୁଭବ ଉଦ୍ୟମ ହେଉଥିବା ନେଇ ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଏଥିରେ ନିବେଦନ କରିଛନ୍ତି। ବର୍ଷାଙ୍କ ଏତାଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ସାଇବର ଥାନା ପୁଲିସ । ଆଇପିସିର ଧାରା ୫୦୯ ଏବଂ ଧାରା ୬୭ ଆଇଟି ଆକ୍ଟରେ ଏହି ମାମଲା ରୁଜୁ ହୋଇଛି।

ତେବେ ଏନେଇ ଥାନାକୁ ଆସିଥିବା ବର୍ଷା ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ମାମଲାରେ ଆଗକୁ ପୁଲିସ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ଆବଦ୍ଧ ହୋଇଛି। ସୂଚନା ଥାଉକି, ସାଂସଦ ତଥା ଫିଲ୍ମଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ମାମଲାର ବିଚାର ସରି ନ ଥିବା ବେଳେ ଅନୁଭବ ନିଜର ୟୁଟୁବ ଚ୍ୟାନେଲ ଓ ଅନ୍ୟ ସୋସିଆଲ ମିଡ଼ିଆରେ ବର୍ଷାଙ୍କ ବରୋଧରେ ବିଷୋଦ୍ଦଗାର ଭିଡ଼ିଓ ଛାଡ଼ିଛନ୍ତି। ଯାହାକୁ ନେଇ ବର୍ଷା ଅସନ୍ତୋଷ ପ୍ରକାଶ କରି ସମ୍ମାନହାନୀ ହେଉଥିବା ଏତଲା ଦେଇଛନ୍ତି।

ଗୋଟିଏ ପଟେ ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଭିଡ଼ିଓ ଭାଇରାଲ କରିବା ବନ୍ଦ ହେଉ ନ ଥିବା ବେଳେ ଏହାର ପ୍ରତିବାଦ ଜଣାଇ ବର୍ଷା ଗୋଟିଏ ପରେ ଗୋଟିଏ ଏତଲା ଥାନାରେ ଦେଇଚାଲିଛନ୍ତି। ହେଲେ ପୁଲିସ କେବଳ ମାମଲା କରି ତଦନ୍ତ ଚାଲୁଥିବା ଦର୍ଶାଇ ଚୁପ୍ ବସି ଯାଉଛି। ଯେଉଁଥି ପାଇଁ ଅନୁଭବ-ବର୍ଷା ଘରୋଇ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।

Related Posts