ବ୍ୟାସନଗର: ଗତକାଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ବ୍ୟାସନଗରରୁ ଖଣ୍ଡପଡ଼ା ଏନ୍ଏସିକୁ ବଦଳି କରାଯାଇଛି । ଦୀର୍ଘ ଦିନ ହେବ ପୌରାଧ୍ୟକ୍ଷା ଓ ପୌର ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଆଜି ଅବସାନ ଘଟିଛି। ଭିଡିଓ ଭାଇରାଲ୍ ପରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ବଦଳି ଖବର ପାଇବା ପରେ ନିର୍ବାହୀ ଅଧିକାରୀଙ୍କ ପ୍ରତି ପୌରାଧ୍ୟକ୍ଷାଙ୍କ ଅଶାଳୀନ ବ୍ୟବହାର ଓ ଫାଇଲ ଫୋପାଡ଼ିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ଅଶାଳୀନ ବ୍ୟବହାରକୁ ନାପସନ୍ଦ କରିଛନ୍ତି।

ପ୍ରଥମରୁ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସହରରେ ଚର୍ଚ୍ଚା ଲାଗି ରହିଥିବା ବେଳେ କେତେକ ବୁଦ୍ଧିଜୀବୀ ଏହାକୁ ନାପସନ୍ଦ କରିଛନ୍ତି। ନିର୍ବାହୀ ଅଧିକାରୀଙ୍କ ନୀତିଗତ ନିଷ୍ପତ୍ତି ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା କିଛି ମୁଷ୍ଟିମେୟ ଲୋକପ୍ରତିନିଧି କାର୍ଯ୍ୟାଳୟରେ ଏପରି ଅଚଳାବସ୍ଥା ସୃଷ୍ଟି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଗଲା କିଛି ଦିନ ଧରି ବିଭିନ୍ନ ସମୟରେ ନିର୍ବାହୀ ଅଧିକାରୀଙ୍କୁ ବାୟୋମେଟ୍ରିକ ଉପସ୍ଥାନ, ଟାୱାର ନିର୍ମାଣ, ବିଲ୍‌ କରିବା, ବାର୍ଷିକ ଯୋଜନାଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା କରିବା ସହିତ ମାଡ଼ ମାରିବାକୁ ଧମକ ଦେଇ ମାନସିକ ନିର୍ଯାତନା ଦିଆଯାଉଥିବା ଦେଖିବାକୁ ମିଳିଥିଲା। ଏଥିରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଦବି ନଯାଇ କାର୍ଯ୍ୟ କରିଆସୁଥିଲେ। ଏସବୁ ଘଟଣା ବିରୋଧୀ ଦଳ କଂଗ୍ରେସ ଓ ବିଜେପିକୁ ଖୋରାକ ଯୋଗାଇଛି। ଏ ସଂପର୍କରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ବିଭିନ୍ନ ଗଣମାଧ୍ୟମରେ ବିବୃତି ରଖି କହିଛନ୍ତି ଯେ ସେ ଟାୱାର ବସାଇବା ସଂକ୍ରାନ୍ତ ଫାଇଲ ମଗାଇ ଦେଖିବା ପରେ ନିର୍ବାହୀ ଅଧିକାରୀଙ୍କୁ ଫେରାଇ ଦେଇଥିଲେ ବୋଲି କହିଛନ୍ତି ।