ଚଳିତ ବର୍ଷ ଦୁଇଟି ସୂର୍ଯ୍ୟ ପରାଗ, ଦୁଇଟି ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଚଳିତ ବର୍ଷ ୨୦୨୨ରେ ଦୁଇଟି ସୂର୍ଯ୍ୟ ପରାଗ, ଦୁଇଟି ଚନ୍ଦ୍ର ଗ୍ରହଣ ପଡିବ | ତେବେ ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ ଆଜି ଅର୍ଥାତ୍ ୩୦ ଅପ୍ରେଲରେ ହେବାକୁ ଯାଉଛି । ଏହାର ଠିକ୍ ୧୫ ଦିନ ପରେ ଅର୍ଥାତ୍ ମେ’୧୬ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ । ଚଳିତ ବର୍ଷ ମୋଟ୍ ୪ଟି ଅର୍ଥାତ୍ ଦୁଇଟି ସୂର୍ଯ୍ୟ ପରାଗ ଏବଂ ଦୁଇଟି ଚନ୍ଦ୍ର ଗ୍ରହଣ ଲାଗିବ ।

ଅପ୍ରେଲ ୩୦ରେ ଲୋକମାନେ ଚଳିତ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗର ସାକ୍ଷୀ ରହିବେ । ଦିନ ୧୨ଟା ୧୫ମିନିଟ୍‌ରୁ ପରାଗ ଆରମ୍ଭ ହୋଇ ୪ଟାରେ ଶେଷ ହେବ । ଜ୍ୟୋତିଷବିଜ୍ଞାନୀଙ୍କ ଅନୁଯାୟୀ ୧୮ବର୍ଷରେ ମୋଟ୍ ୪୧ଟି ସୂର୍ଯ୍ୟ ପରାଗ ଘଟିସାରିଛି । ଗୋଟିଏ ବର୍ଷ ମଧ୍ୟରେ ଅତି ବେଶୀରେ ୫ଟି ଗ୍ରହଣ ହୋଇପାରେ ।

ତେବେ ଆସନ୍ତୁ ଜାଣିବା ଆଗାମୀ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣର ତାରିଖ ଏବଂ ସମୟର ବିଷୟରେ…

ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅପ୍ରେଲ ୩୦ରେ ହେବ । ଏହା ଆଂଶିକ ସୂର୍ଯ୍ୟ ପରାଗ ହେବ । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବନାହିଁ । ଦକ୍ଷିଣ/ପଶ୍ଚିମ ଆମେରିକା, ପ୍ରଶାନ୍ତ ଆଟଲାଣ୍ଟିକ୍ ଏବଂ ଆଣ୍ଟାର୍କଟିକାରେ ରହୁଥିବା ଲୋକମାନେ ଏହି ଦୃଶ୍ୟ ଦେଖିପାରିବେ ।

ଅନ୍ୟପଟେ ଦ୍ବିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖରେ ଅନୁଷ୍ଠିତ ହେବ । ଏହା ମଧ୍ୟ ଆଂଶିକ ସୂର୍ୟ୍ୟ ପରାଗ ହେବ । ଏହା ୧୬:୨୯:୧୦ରୁ ଆରମ୍ଭ ହୋଇ ୧୭:୪୨:୦୧ରେ ଶେଷ ହେବ । ଏହି ସୂର୍ଯ୍ୟ ପରାଗ ୟୁରୋପ, ଦକ୍ଷିଣ/ପଶ୍ଚିମ ଏସିଆ, ଆଫ୍ରିକା ଏବଂ ଆଟଲାଣ୍ଟିକାରେ ଦୃଶ୍ୟମାନ ହେବ । ତେବେ ଏହି ଆଂଶିକ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବନାହିଁ ।

ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ’ ୧୬ରେ ହେବ । ଏହା ସକାଳ ୭ଟା ୨ମିନିଟ୍‌ରୁ ଆରମ୍ଭ ହୋଇ ୧୨ଟା ୨୦ମିନିଟ୍‌ରେ ଶେଷ ହେବ । ଏହି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ଏହା ହେଉଛି ପ୍ରଥମ ଚନ୍ଦ୍ର ଗ୍ରହଣ ଯାହା ଭାରତରେ ପ୍ରଭାବଶାଳୀ ହେବ । ଏହି ଚନ୍ଦ୍ର ଗ୍ରହଣ ଦକ୍ଷିଣ/ପଶ୍ଚିମ ୟୁରୋପ, ଦକ୍ଷିଣ/ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ, ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍, ଆଣ୍ଟାର୍କଟିକା ଏବଂ ଭାରତ ମହାସାଗରରେ ଦୃଶ୍ୟମାନ ହେବ ।

ଦ୍ବିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ ତାରିଖରେ ହେବ । ଏହା ଦିନ ୧ଟା ୩୨ମିନିଟ୍‌ରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୨୭ମିନିଟ୍‌ରେ ଶେଷ ହେବ । ଏହି ଚନ୍ଦ୍ର ଗ୍ରହଣ ଦକ୍ଷିଣ/ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍, ଭାରତ ମହାସାଗର ସହ ଭାରତରେ ଦୃଶ୍ୟମାନ ହେବ ।

Related Posts