ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହା ମଧ୍ୟରେ ଆଜି ସିକନ୍ଦରାବାଦ ରେଳ ଷ୍ଟେସନ୍ରେ ପ୍ରତିବାଦ ପ୍ରଦର୍ଶନ ପ୍ରବଳ ହେବାରୁ ଉତ୍ତ୍ୟକ୍ତ ପ୍ରତିବାଦକାରୀଙ୍କୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୮ଜଣ ଆହତ ହୋଇଥିବାର ସୂଚନା ମିଳିଛି । ସେପଟେ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସିକନ୍ଦରାବାଦସ୍ଥିତ ଗାନ୍ଧୀ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେବାକୁ ଆଶାୟୀ ଶହ ଶହ ପ୍ରାର୍ଥୀ ତେଲେଙ୍ଗାନା ନଗରୀ ସିକନ୍ଦରାବାଦର ମୁଖ୍ୟ ରେଳଷ୍ଟେସନ୍ରେ ଭଙ୍ଗାରୁଜା କରିଥିଲେ।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଲାଠି-ଚାର୍ଜ ଏବଂ ଲୁହବୁହା ବାଷ୍ପ ପ୍ରୟୋଗ ପ୍ରତିବାଦକୁ ନିୟନ୍ତ୍ରଣ କରି ନ ପାରିବାରୁ ‘ଜେନେରାଲ୍ ରେଲ୍ୱେ ପୋଲିସ୍’ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା।ଉତ୍ୟକ୍ତ ଜନତାଙ୍କୁ ନିୟନ୍ତ୍ରଣ କରିବା ଲାଗି ‘ଜିଆର୍ପି ଫୋର୍ସ’ ୧୫ ରାଉଣ୍ଡ୍ ଗୁଳି ଚଳାଇଥିବା କୁହାଯାଉଛି। ଟେକାପଥର ଫିଙ୍ଗାଫିଙ୍ଗିରେ ୨ଜଣ ପୁଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଳବାଇ ଡି.ଜି. ସନ୍ଦୀପ ଶାଣ୍ଡିଲ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ପରିସ୍ଥିତି ପର୍ୟ୍ୟବେକ୍ଷଣ କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
