ଅଗ୍ନିପଥ ବିବାଦ; ୩ ସେନା ମୁଖ୍ୟଙ୍କ ସହ ରାଜନାଥ ସିଂହଙ୍କ ବୈଠକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହା ମଧ୍ୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ସେନା ମୁଖ୍ୟଙ୍କ ସହିତ ବୈଠକ କରିଛନ୍ତି। ‘ସିଏପିଏଫ୍’ ଏବଂ ‘ଆସାମ ରାଇଫଲ୍ସ୍’ରେ ଅଗ୍ନିବୀରମାନଙ୍କ ପାଇଁ ୧୦% ଚାକିରି ସଂରକ୍ଷଣ କରାଯିବ ବୋଲି ଆଜି ଗୃହମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ଘୋଷଣା କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ୩ ସେନାର ମୁଖ୍ୟମାନଙ୍କ ସହିତ ବୈଠକ ଆରମ୍ଭ କରିଛନ୍ତି। ସେନା, ନୌସେନା ଏବଂ ବାୟୁସେନା ନିମନ୍ତେ ୪ ବର୍ଷ ଲାଗି ତରୁଣମାନଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଆରମ୍ଭ କରାଯାଇଥିବା ଯୋଜନା ଉପରେ ୩ ସେନାର ମୁଖ୍ୟମାନେ ନିଜ ନିଜର ଆସ୍ଥାବ୍ୟକ୍ତ କରିଥିଲେ।

ବାୟୁସେନା ମୁଖ୍ୟ ଚିଫ୍ ମାର୍ସାଲ୍ ବିବେକ ରାମ ଚୌଧୁରୀ କହିଛନ୍ତି, ଅଗ୍ନିପଥ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଯୁବକମାନେ ଏହି ଯୋଜନା ସମ୍ବନ୍ଧରେ ସଠିକ ସୂଚନା ସଂଗ୍ରହ କରି ତା’ର ସାମଗ୍ରିକତାକୁ ବୁଝିବା ଉଚିତ। ସେନାମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ କହିଛନ୍ତି, ଏହି ଯୋଜନା ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବ। ଏ ସଂକ୍ରାନ୍ତରେ ସେମାନେ ସଠିକ ସୂଚନା ପାଇ ନ ଥିବାରୁ ପ୍ରତିବାଦ କରୁଛନ୍ତି। ନୌସେନା ମୁଖ୍ୟ ଆଡ୍ମିରାଲ୍ ଆର୍ ହରି କୁମାର ମଧ୍ୟ କହିଛନ୍ତି, ଏଭଳି ପ୍ରତିବାଦ ଆଶା କରାଯାଉ ନ ଥିଲା। ଅଗ୍ନିପଥ ଯୋଜନା ହେଉଛି ଭାରତୀୟ ସେନାରେ ଏକକ ବୃହତ୍ତମ ମାନବ ସମ୍ବଳ ପରିଚାଳନା ରୂପାନ୍ତରଣ। ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ତେଣୁ, ସେଥିପାଇଁ ପ୍ରସ୍ତୁତି କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦିନ ଯୁବକମାନଙ୍କୁ ଅନୁରୋଧ କରିଥିଲେ।

Related Posts