ଆକାଶରୁ ଝରୁଛି ନିଆଁ: କିଛି ସ୍ଥାନରେ ୪୪ ଡିଗ୍ରୀ ଛୁଇଁବ ତାପମାତ୍ରା

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ | ଆକାଶରୁ ଝରୁଛି ନିଆଁ ବର୍ଷା | ପାରଦ ୪୨ ଡିଗ୍ରୀ ଟପିଯାଇଥିବା ବେଳେ, ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ବୁଧବାର ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ ସହ ଉତ୍ତପ୍ତ ସହର ରହିଥିଲା।

ସେହିଭଳି ବଲାଙ୍ଗୀରରେ ୪୨.୫, ସୋନପୁର ୪୧.୯, ଝାରସୁଗୁଡ଼ା ୪୧.୨, ବୌଦ୍ଧ ୪୧, ଭବାନୀପାଟଣା ୪୧, ସମ୍ବଲପୁର ୪୦, ସୁନ୍ଦରଗଡ଼ ୪୦, ଭଦ୍ରକ ୩୯.୮, ହୀରାକୁଦ ୩୯.୭, ତାଳଚେର ୩୯.୪, ଫୁଲବାଣୀ ୩୯.୪, ମାଲକାନଗିରି ୩୯.୫, ବାରିପଦା ୩୮.୨, କଟକ ୩୮.୧, ଅନୁଗୋଳ ୩୮.୧, ରାୟଗଡ଼ା ୩୮.୧, ପାରଳାଖେମୁଣ୍ଡି ୩୮.୫, କଟକ ୩୮.୧, ନୟାଗଡ଼ ୩୬ ଓ ଭୁବନେଶ୍ବରରେ ତାପମାତ୍ରା ୩୪.୮ ରେକର୍ଡ କରାଯାଇଛି।

ଆସନ୍ତା ଦୁଇଦିନ ବରଗଡ଼ , ବଲାଙ୍ଗୀର , ବୌଦ୍ଧ , ସୋନପୁର , କଳାହାଣ୍ଡି , ଅନୁଗୋଳ ଓ ସମ୍ବଲପୁର ଆଦି ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ସମ୍ଭାବନା ରହିଛି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ । ମାତ୍ର ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମ ରହିବ । ୩ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ହେଲେ ଏ ସମ୍ପର୍କରେ ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ବେଳେ ଆସନ୍ତାକାଲି କିମ୍ବା ପହରଦିନ ସୁଦ୍ଧା ଜଣାପଡ଼ିବ ବୋଲି ଡ. ସାହୁ ସୂଚନା ଦେଇଛନ୍ତି ।

ସେପଟେ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗୀଣା ବ୍ୟକ୍ତିମାନଙ୍କୁ ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ବାରଣ କରିଛନ୍ତି । ଏହି ସମୟରେ ବାହାରକୁ ବାହାରିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Related Posts