ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ଏବେ ଦେଶବ୍ୟାପୀ ବିକ୍ଷୋଭର ନିଆଁ ଜଳୁଛି । ଦେଶର ଅନେକ ରାଜ୍ୟରୁ ପ୍ରତିବାଦର ସ୍ବର ଉଠିଛି । ସେନାରେ ଶର୍ଟଟର୍ମ ଅର୍ଥାତ ୪ ବର୍ଷର ନିଯୁକ୍ତି ପାଇଁ ଏହି ଯୋଜନା ବ୍ୟବସ୍ଥା ହୋଇଥିବାରୁ ଯୁବକମାନେ ଏହାକୁ ଜୋରଦାର ବିରୋଧ କରୁଛନ୍ତି।

ଏସବୁ ଭିତରେ ଅଗ୍ନିପଥ ବିରୋଧର ଜଳୁଥିବା ପ୍ରତିବାଦର ନିଆଁକୁ ଲିଭାଇବା ପାଇଁ ଆଜି ୩ ସେନା ପକ୍ଷରୁ ପ୍ରୟାସ କରାଯାଇଛି।

ଦୀର୍ଘ ସମୟର ସାମ୍ବାଦିକ ସମ୍ମିଳନୀ କରି ଏକାଧିକ ଅଧିକାରୀ ଯୋଜନାକୁ ନେଇ ଆଶାୟୀଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଏଥିସହ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ଏହାବାଦ ନୌସେନାରେ ସାମିଲ ହେବାକୁ ଥିବା ଅଗ୍ନିବୀରଙ୍କ ପ୍ରଥମ ତାଲିମ ନଭେମ୍ବର ୨୧ରୁ ଓଡ଼ିଶାରେ ଥିବା ଆଇଏନଏସ୍‌ ଚିଲାକାରେ ଆରମ୍ଭ ହେବ ବୋଲି ଆଜି ଘୋଷଣା କରାଯାଇଛି।

୧- ମିଲିଟାରୀ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅରୁଣ ପୁରୀ କହିଛନ୍ତି, ସେନାରେ ଏପରି ସଂସ୍କାର ପାଇଁ ବହୁ ବର୍ଷ ତଳୁ ବିଚାର କରାଯାଉଥିଲା। ଏହି ସଂସ୍କାର ଦ୍ୱାରା ସେନାରେ ଯୁବଗୋଷ୍ଠୀ ଓ ଅଭିଜ୍ଞଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ। ଏବେ ସେନେରେ ଅନେକ ସଂଖ୍ୟକ ଯବାନ ୩୦ ବର୍ଷରୁ ଅଧିକ ବୟସରେ ପାଦ ଦେଲେଣି ଓ ପୂର୍ବ ଅପେକ୍ଷା ଏବେ ଅଫିସର୍ସମାନେ ବହୁ ବଳିମ୍ବରେ କମାଣ୍ଡ ପାଉଛନ୍ତି। ତେଣୁ ଅଗ୍ନିପଥ ଯୋଜନାରେ ସେନାକୁ ଯୁବଗୋଷ୍ଠୀର ସହାୟତା ମିଳିବ।

୨-ଜେନେରାଲ ପୁରୀ ଆହୁରି କହିଛନ୍ତି, ୩ ସେନାରୁ ପ୍ରତିବର୍ଷ ୧୭,୬୦୦ କର୍ମଚାରୀ ସମୟ ପୂର୍ବରୁ ଅବସର ନେଉଛନ୍ତି। କିନ୍ତୁ ସେମାନେ ଅବସର ପରେ କ’ଣ କରିବେ, ସେକଥା କେହି ବି କେବେ ହେଲେ ପଚାରି ନାହାନ୍ତି।

୩-ବର୍ତ୍ତମାନ କାର୍ଯ୍ୟ କରୁଥିବା ସୈନିକଙ୍କ ଭଳି ଅଗ୍ନିବୀରମାନେ ମଧ୍ୟ ସମାନ ପରିମାଣର ଭତ୍ତା ପାଇବେ। ନିୟମିତ ସୈନ୍ୟ ଓ ଅଗ୍ନିବୀରଙ୍କ ଚାକିରି ସର୍ତ୍ତରେ କୌଣସି ପ୍ରକାରର ପରିବର୍ତ୍ତନ କରାଯିବ ନାହିଁ।

୪-ଦେଶ ସେବା ବେଳେ ଯଦି ଅଗ୍ନିବୀରମାନେ ବଳିଦାନ ଦିଅନ୍ତି, ତା’ହେଲେ ସେମାନଙ୍କ ପରିବାର ଲୋକଙ୍କୁ ୧ କୋଟି ଟଙ୍କା ମିଳିବ।

୫-ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଆମ ସୈନ୍ୟଙ୍କ ସଂଖ୍ୟା ୫୦,୦୦୦ରୁ ୬୦,୦୦୦ ଓ ପରବର୍ତ୍ତୀ ଅବସ୍ଥାରେ ୯୦, ୦୦୦ରେ ପହଞ୍ଚିବ। ବର୍ତ୍ତମାନ ପ୍ରାଥମିକ ସ୍ତରରେ ୪୬ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯାଇ ଯୋଜନାରକୁ କାର୍ଯ୍ୟକାରୀ କରାଯିବ। ଏହାପରେ ଏହାକୁ ବୃଦ୍ଧି କରାଯିବ।

୬-ଭବିଷ୍ୟତରେ ଅଗ୍ନିବୀରଙ୍କ ନିଯୁକ୍ତି ସଂଖ୍ୟା ୧.୨୫ ଲକ୍ଷକୁ ବୃଦ୍ଧି ପାଇବ। ଏହା ସବୁବେଳେ ୪୬,୦୦୦ରେ ସୀମିତ ହୋଇ ରହିବ ନାହିଁ।

୭-ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଅଗ୍ନିବୀରଙ୍କ ପାଇଁ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥା ବହୁ ପୂର୍ବରୁ ବିଚରାଧିନ ରହିଥିଲା। ବର୍ତ୍ତମାନର ବିରୋଧ ଓ ହିଂସାକୁ ଦେଖି ଏଗୁଡ଼ିକୁ ତତ୍କାଳ ଭାବେ ଘୋଷଣା କରାଯାଇ ନଥିବା ଲେଫ୍ଟନାଣ୍ଟ ଜେନେରାଲ ପୁରୀ କହିଛନ୍ତି।

୮-ଏୟାର ମାର୍ଶଲ ଏସକେ ଝା କହିଛନ୍ତି, ବାୟୁସେନାର ଅଗ୍ନିବୀରଙ୍କ ପାଇଁ ଜୁନ ୨୪ରୁ ପଞ୍ଜୀକରଣ ଆରମ୍ଭ ହେବ। ପ୍ରଥମ ବ୍ୟାଚ୍‌ର ଅନଲାଇନ ପରୀକ୍ଷା ଜୁଲାଇ ୨୪ରେ ଅନୁଷ୍ଠିତ ହେବ। ଡିସେମ୍ବର ସୁଦ୍ଧା ଚୟନ ସରିବ ଓ ଡିସେମ୍ବର ୩୦ ସୁଦ୍ଧା ତାଲିମ ଆରମ୍ଭ ହେବ।

୯-ଲେଫ୍ଟନାଣ୍ଟ ଜେନେରାଲ ବଂଶୀ ପୋନାପ୍ପା କହିଛନ୍ତି, ସରକାର ଡିସେମ୍ବର ସୁଦ୍ଧା ପ୍ରଥମ ଦଫାରେ ୨୫ ହଜାର ଅଗ୍ନିବୀର ପାଇବେ। ଦ୍ୱିତୀୟ ଦଫା ଅର୍ଥାତ ୨୦୨୩ ଫେବୃଆରୀ ସୁଦ୍ଧା ବାକି ଅଗ୍ନିବୀରଙ୍କୁ ସାମିଲ କରାଯିବ।

୧୦-ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ କହିଛନ୍ତି, ନଭେମ୍ବର ୨୧ରୁ ନୌସେନା ଅଗ୍ନିବୀରଙ୍କ ତାଲିମ ଆରମ୍ଭ ହେବ। ଓଡ଼ିଶାର ଆଇଏନଏସ୍ ଚିଲିକାରେ ଅଗ୍ନିବୀରମାନେ ତାଲିମ ନେବେ। ଏହି ତାଲିମ ପାଇଁ ଉଭୟ ପୁରୁଷ ଓ ମହିଳା ଅଗ୍ନିବୀର ଯୋଗ୍ୟ ବିବେଚିତ ହେବେ।

୧୧-ଭାରତୀୟ ନୌସେନା ପାଖରେ ଏବେ ୩୦ ଜଣ ମହିଳା ଅଫିସର ଅଛନ୍ତି। ସେମାନେ ବିଭିନ୍ନ ଜାହାଜରେ ମୁତୟନ ହୋଇଛନ୍ତି। ଅଗ୍ନିପଥ ଯୋଜନାରେ ମହିଳାମାନଙ୍କୁ ମଧ୍ୟ ନିଯୁକ୍ତି ମିଳିବ।