ଅଗ୍ନିବୀର ଯବାନଙ୍କ ଦରମା ପାଇଁ ୧୧ଟି ବ୍ୟାଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର ଭାରତୀୟ ସେନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସେନାରେ ନୂତନ ନିଯୁକ୍ତି ପାଇବାକୁ ଥିବା ଅଗ୍ନିବୀର ଯବାନଙ୍କ ଦରମା ପ୍ୟାକେଜ ପାଇଁ ୧୧ଟି ବ୍ୟାଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଭାରତୀୟ ସେନା। ଯେଉଁ ୧୧ଟି ବ୍ୟାଙ୍କ ସହିତ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ସେଗୁଡିକ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆଇଡିବିଆଇ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ୟେସ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ପ୍ରମୁଖ ରହିଛନ୍ତି ।

ଏହି ବ୍ୟାଙ୍କଗୁଡିକ ଅଗ୍ନିବୀରମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବେ | ଏନେଇ ଲେଫ୍ଟନାଣ୍ଟ ଜେନେରାଲ ଭି ଶ୍ରୀହରି, ଡିଜି (ଏପି ଆଣ୍ଡ ପିଏସ୍) ଏବଂ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଏମଓୟୁ ମୁତାବକ ଅଗ୍ନିବୀର ବେତନ ପ୍ୟାକେଜ୍ ଅଧୀନରେ ଦିଆଯାଉଥିବା ସୁବିଧା ପ୍ରତିରକ୍ଷା ଦରମା ପ୍ୟାକେଜ୍ ସହିତ ସମାନ । ଏଥିସହ, ଅଗ୍ନିବୀରରୁ ଅବସର ନେବା ପରେ ଉଦ୍ୟୋଗୀ ଦକ୍ଷତାକୁ ବଢାଇବା ପାଇଁ ଏହି ବ୍ୟାଙ୍କଗୁଡିକ କମ ସୁଧରେ ଋଣ ମଧ୍ୟ ପ୍ରଦାନ କରିବେ ।

ସୂଚନାଯୋଗ୍ୟ ଯେ, ଅଗ୍ନିପଥ ଯୋଜନାର ପ୍ରଥମ ବ୍ୟାଚ୍ ଜାନୁଆରୀ ୨୦୨୩ ସୁଦ୍ଧା ତାଲିମ କେନ୍ଦ୍ରରେ ଯୋଗଦେବେ। ଏହି ଯୋଜନା ଅଧୀନରେ ୧୭.୫ ବର୍ଷରୁ ୨୧ ବର୍ଷ ବୟସର ଯୁବକମାନେ ଚାରି ବର୍ଷ କାର୍ଯ୍ୟକାଳ ପାଇଁ ସଶସ୍ତ୍ର ବାହିନୀରେ ଅନ୍ତର୍ଭୁକ୍ତ ହେବେ ବୋଲି କୁହାଯାଇଥିଲା । ୪ ବର୍ଷ ପରେ ଏଥିମଧ୍ୟରୁ ୨୫ ପ୍ରତିଶତ ନିୟମିତ ସେବାରେ ଅନ୍ତର୍ଭୁକ୍ତ ହେବ । ତେବେ ପରେ ସରକାର ଏହି ଯୋଜନା ଅନ୍ତର୍ଗତ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାକୁ ୨୧ ବର୍ଷରୁ ୨୩ ବର୍ଷକୁ ବୃଦ୍ଧି କରିଥିଲେ।

Related Posts