ଅଗ୍ନିପଥ ଯୋଜନା; ମାତ୍ର ୬ ଦିନରେ ବାୟୁସେନା ପାଖକୁ ଆସିଛି ୨ ଲକ୍ଷ ଆବେଦନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ଏହା ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ଗତ ୨୪ ତାରିଖରୁ ଏହି ସ୍କିମ୍ ଅଧିନରେ ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଥିବାବେଳେ ବୁଧବାର (ଜୁନ ୨୯) ସୁଦ୍ଧା ୨ ଲକ୍ଷ ଆବେଦନ ଆସିଛି ।

ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଏ. ଭାରତ ଭୂଷଣ ବାବୁ କହିଛନ୍ତି ଯେ ଅଗ୍ନିବୀର ବାୟୁ ପାଇଁ ୨ ଲକ୍ଷ ୧ ହଜାର ଜଣ ପଂଜୀକରଣ କରିଛନ୍ତି । ଏହି ସ୍କିମରେ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୫ ରହିଛି । ଜୁଲାଇ ୫ ଅପରାହ୍ଣ ୫ଟା ସୁଦ୍ଧା ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଜୁଲାଇ ମାସରେ ହିଁ ଅଗ୍ନିବୀର ଚୟନ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ସଂପର୍କରେ ସୂଚନା ଦିଆଯିବ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ଜୁନ ୧୪ ତାରିଖ ଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ । ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ ।

Related Posts