ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ, ବିଜ୍ଞାନ ଓ ବାଣିଜ୍ୟରେ ସବୁଠାରୁ ଆଗରେ ରେଭେନ୍ସା କଲେଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ କଟଅଫ୍ ମାର୍କ ତାଲିକା । କଟଅଫ୍ ମାର୍କ ତାଲିକା ଅନୂଯାୟୀ ରାଜ୍ୟରେ ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମରେ ରେଭେନ୍ସା କଲେଜ ସବୁଠୁ ଆଗରେ ରହିଥିବାବେଳେ କଳାରେ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଶୀର୍ଷରେ ରହିଛି ।

ସୂଚନା ଅନୁସାରେ, ବିଜ୍ଞାନରେ ଜେନେରୋଲ କାଟାଗୋରୀରେ ୯୪.୩୩% କଟଅଫ ସହ ରେଭେନ୍ସା ଟପ୍ ରହିଛି ଏହାପରେ ୯୩.୨୦ % ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସଭିଏସ୍ ଦ୍ୱିତୀୟ ସ୍ଥାନରେ ଏବଂ ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି ତୃତୀୟ ସ୍ଥାନରେ ରହିଛି । ସେହିପରି ବାଣିଜ୍ୟରେ ୮୪.୧୭ % କଟଅଫ ମାର୍କ ସହ ରେଭେନ୍ସା ଟପ୍ ରେ ରହିଛି, ୮୦.୬୭%ରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଦ୍ୱିତୀୟ ସ୍ଥାନ ଏବଂ ୭୯.୮୩% କଟଅଫ୍ ମାର୍କ ସହ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛନ୍ତି । କଳାରେ ୮୩.୫୦% ସହ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ୍ ଟପ୍ ରେ ରହିଛି, ୮୩.୩୩% ସହ ରେଭେନ୍ସା ଦ୍ୱିତୀୟ ସ୍ଥାନ ଏବଂ ୮୩.୧୭ ରେ ନରସିଂହପୁର କଲେଜ ତୃତୀୟ ସ୍ଥାନରେ ରହିଛନ୍ତି ।

ଛାତ୍ରଛାତ୍ରୀମାନେ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ କଲେଜଗୁଡ଼ିକରେ ନାମ ଲେଖାଇପାରିବେ। ଅଗଷ୍ଟ ୧୯ରୁ ୨୭ ଭିତରେ ଛାତ୍ରଛାତ୍ରୀ ସ୍ଲାଇଡ୍‌-ଆପ୍‌ ଆବେଦନ କରିବେ । ସେହିଭଳି ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ । ଚଳିତ ବର୍ଷ ୨ ହଜାର ୫୯ଟି ଯୁକ୍ତ ଦୁଇ କଲେଜରେ ୫ଲକ୍ଷ ୫ହଜାର ୮୦୨ ସିଟ୍‌ରେ ନାମ ଲେଖା ହେବ। ସେଥିମଧ୍ୟରୁ କଳାରେ ୨ଲକ୍ଷ ୭୬ହଜାର ୯୩୦, ବିଜ୍ଞାନରେ ୧ଲକ୍ଷ ୬୦ହଜାର ୨୬୪, ବାଣିଜ୍ୟରେ ୪୫ହଜାର ୧୦୮, ସଂସ୍କୃତରେ ୧୩ହଜାର ୨୬୮, ଧନ୍ଦାମୂଳକ ୧୦ହଜାର ୨୩୨ ସିଟ୍‌ ରହିଛି । ଯୁକ୍ତ ଦୁଇ ନାମଲେଖାଇବା ପାଇଁ ୪ ଲକ୍ଷ ୬୪ ହଜାର ୨୭୫ ଜଣ ଛାତ୍ରାଛତ୍ରୀ ଆବେଦନ କରିଛନ୍ତି ।

Related Posts