ବିଜେପି ଓ କଂଗ୍ରେସକୁ କେଜ୍ରିୱାଲଙ୍କ ଆହ୍ବାନ; “ଭାରତକୁ ୧ନଂ କରିବା ପାଇଁ ଆପ ସହ ସାମିଲ ହୁଅ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ‘ଭାରତକୁ ୧ ନଂ କରିବା ବା ମେକ ଇଣ୍ଡିଆ ନଂ ୧’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ କାର୍ଯ୍ୟକ୍ରମରେ ସବୁ ଭାରତୀୟଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ବିଶେଷ କରି ଭାରତକୁ ୧ନଂ କରିବା ପାଇଁ କେଜ୍ରିୱାଲ ବିଜେପି ଓ କଂଗ୍ରେସ ଭଳି ରାଜନୀତିକ ଦଳକୁ ତାଙ୍କ ଦଳ ଆପ୍‌ରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ।କେଜ୍ରିୱାଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଛନ୍ତି, “ମାଗଣାରେ ସମସ୍ତଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ଯୁବବର୍ଗଙ୍କୁ ଚାକିରି, ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଏବଂ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉପଯୁକ୍ତ ମୂଲ୍ୟ ଯୋଗାଇ ଦେବା ହିଁ ଏହି କାର୍ଯ୍ୟକ୍ରମର ଏକମାତ୍ର ଲକ୍ଷ୍ୟ।” କେଜ୍ରିୱାଲ ଏହି କାର୍ଯ୍ୟକ୍ରମ ପାଇଁ ଦେଶର ବିଭିନ୍ନ ପ୍ରାନ୍ତକୁ ଗସ୍ତ କରି ସାଧାରଣ ଲୋକଙ୍କୁ ଏଥିରେ ସାମିଲ ହେବାକୁ କହିବେ ବୋଲି ସୂଚନା ମିଳିଛି।

ଏଥିସହ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବେ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ରାଜନୀତିରୁ ଦୂରେଇ ରଖିବା ପାଇଁ ମଧ୍ୟ ସେ କହିଛନ୍ତି। କେଜ୍ରୱାଲ କହିଛନ୍ତି, “ଏହା କୌଣସି ରାଜନୀତିକ ଦଳର ଲକ୍ଷ୍ୟ ନୁହେଁ। ଏହା ଏକ ଜାତୀୟ ମିଶନ। ମୁଁ ଏଥିପାଇଁ ବିଜେପି ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ କରୁଛି। ସମସ୍ତେ ମିଶି ଭାରତକୁ ବିଶ୍ୱରେ ୧ନଂ କରିବା। ସିଙ୍ଗାପୁର ଭଳି ଅନେକ ଦେଶ ଭାରତ ପରେ ସ୍ୱାଧୀନତା ପାଇଥିଲେ। କିନ୍ତୁ ସେମାନେ ଏବେ ଆମଠାରୁ ଯଥେଷ୍ଟ ଆଗରେ ଅଛନ୍ତି। ଭାରତୀୟମାନେ ଅତ୍ୟନ୍ତ ବୁଦ୍ଧିଆ ଓ କଠିନ ପରିଶ୍ରମୀ ହୋଇଥିଲେ ମଧ୍ୟ କାହିଁକି ଅନ୍ୟମାନଙ୍କ ଠାରୁ ପଛରେ ଅଛନ୍ତି?”

ନିଜର ଭାଷଣରେ ସେ ଆହୁରି କହିଛନ୍ତି, ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ପୂରା ଦେଶର ଲୋକ ଏକାଠି ହୋଇଥିଲେ। ତେଣୁ ଏବେ ଦେଶର ୧୩୦ କୋଟି ଲୋକ ଏକାଠି ହୋଇ ଭାରତକୁ ପୁଣିଥରେ ମହାନ କରିବା ଦରକାର। ଏହି କାର୍ଯ୍ୟକ୍ରମକୁ ଆମେ ଜାତୀୟ ମିଶନ ଭାବେ ଲଞ୍ଚ କରୁଛୁ। ଏହାକୁ ‘ମେକ ଇଣ୍ଡିଆ ନଂ ୧’ ନାଁରେ ସମସ୍ତେ ଜାଣିବେ। ଏହି ମିଶନରେ ଦେଶର ପ୍ରତିଟି ନାଗରିକ ସାମିଲ ହେବା ଉଚିତ। ଆମକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ସେକଥା ଆମେ ଜାଣିନୁ। କିନ୍ତୁ ଆମକୁ ମାଗଣା ଓ ଉତ୍ତମ ଶିକ୍ଷାର ବ୍ୟବସ୍ଥା କରିବାକୁ ପଡ଼ିବ। ଦେଶର ବିଭିନ୍ନ ପ୍ରାନ୍ତରେ ହସ୍ପିଟାଲ ଓ ମୋହଲା କ୍ଲିନିକ ଖୋଲି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ହେବ ବୋଲି ସେ କହିଛନ୍ତି।

Related Posts