ଖୋଲିଲା ଦେଶର ପ୍ରଥମ ଦିବ୍ୟାଙ୍ଗ ନ୍ୟୁଜ୍‌ ଚ୍ୟାନେଲ୍‌, ଆଙ୍କରରୁ ନେଇ ଏଡିଟର ସମସ୍ତେ ଦିବ୍ୟାଙ୍ଗ

ଆଜିକାଲି ଟିଭି ଖୋଲିଲେ ବିଭିନ୍ନ ପ୍ରକାରର ଚ୍ୟାନେଲ୍‌ ଦେଖିବାକୁ ମିଳୁଛି । ମନୋରଞ୍ଜନ, ନ୍ୟୁଜ୍‌, କ୍ରୀଡ଼ା, ବିକ୍ରିବଟା ଆଦି ପାଇଁ ଅଲଗା ଅଲଗା ଚ୍ୟାନେଲ୍‌ ଖୋଲିଛି । ଦେଶରେ ନ୍ୟୁଜ୍‌ ଚ୍ୟାନେଲ୍‌ ସଂଖ୍ୟା ବି ଦ୍ରୁତ ଗତିରେ ବଢ଼ିଚାଲିଛି । ଗୁଜୁରାଟରେ ଏକ ଏମିତି ନ୍ୟୁଜ୍‌ ଚ୍ୟାନେଲ୍‌ ଖୋଲିଛି ଯାହା ଦେଶରେ ପ୍ରଥମ । ଗୁଜୁରାଟରେ ଖୋଲିଛି ଦେଶର ପ୍ରଥମ ଦିବ୍ୟାଙ୍ଗ ନ୍ୟୁଜ୍‌ ଚ୍ୟାନେଲ୍‌ ।

ଏହି ଚ୍ୟାନେଲ୍‌ର ସ୍ବତନ୍ତ୍ରତା ହେଲା ଏଠି ଆଙ୍କରରୁ ନେଇ ଏଡିଟରଙ୍କ ଯାଏଁ ସମସ୍ତେ ଦିବ୍ୟାଙ୍ଗ । ଏହି ଚ୍ୟାନେଲ୍‌ରେ ଦେଶର ଦିବ୍ୟାଙ୍ଗ ମାନଙ୍କର ଅବସ୍ଥା ବାବଦରେ ଖବର ପ୍ରସାରଣ କରାଯିବ । ଏଣୁ ଏହି ଚ୍ୟାନେଲ୍‌କୁ ନେଇ ଚର୍ଚ୍ଚା ଏବେ କେବଳ ଦେଶରେ ନୁହେଁ ସାରା ବିଶ୍ବରେ ହେଉଛି । ଏଥିପାଇଁ ତ ଏହା ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇବାକୁ ଯାଉଛି ।

ଖାସ୍‌ କରି ଦିବ୍ୟାଙ୍ଗଙ୍କ ପାଇଁ ଖୋଲାଯାଇଥିବା ଏହା ଏକ ଏମିତି ସ୍ପେଶାଲ୍‌ ଚ୍ୟାନେଲ୍‌, ଯାହା ଦିବ୍ୟାଙ୍ଗଙ୍କ କଥା କହିବ, ସେମାନଙ୍କ ମନର କଥା ଜାଣିବ, ଆଉ ଯନ୍ତ୍ରଣାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବ । ଏହି ଚ୍ୟାନେଲ୍‌ର ପ୍ରସାରଣ ଏବେ ଦକ୍ଷିଣ ଗୁଜୁରାଟରେ କରାଯାଇଛି । କିଛି ଦିନ ଭିତରେ ସାରା ଦେଶରେ ଏହାର ପ୍ରସାରଣ କରାଯିବ ।

ଏହି ଚ୍ୟାନେଲ୍‌କୁ ଡିସେବୁଲ୍‌ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆରମ୍ଭ କରାଯାଇଛି । ଏହି ଚ୍ୟାନେଲ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ବାବଦରେ ସୂଚନା ସହ ଧାର୍ମିକ ଓ ସାମାଜିକ ଖବର ବାବଦରେ ବି ଲୋକଙ୍କୁ ସୂଚିତ କରାଯିବ ।

Related Posts