ମିଶେଲ୍‌ ପରେ ଜୋସେଫ୍‌, ମଧ୍ୟସ୍ଥିଙ୍କ ଓକିଲକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ରାଫେଲ୍‌ ଡିଲ୍‌କୁ ନେଇ ମୋଦି ସରକାରଙ୍କୁ ଘେରିଥିବା କଂଗ୍ରେସ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ପ୍ରସଙ୍ଗରେ ଚାରିପଟୁ ଘେରି ହୋଇଯାଇଛି । ବିଜେପି ମଧ୍ୟସ୍ଥ ଖ୍ରୀଷ୍ଟିଆନ୍‌ ମିଶେଲ୍‌କୁ ନେଇ ତ କଂଗ୍ରେସ ଉପରେ ଆକ୍ରମଣ କରୁଥିଲା, ଏବେ ମିଶେଲଙ୍କର ଓକିଲ ଆକ୍ରମଣର ଆଉ ଏକ ସୁଯୋଗ ଦେଇଛନ୍ତି ।

ଯୁବ କଂଗ୍ରେସର ଆଇନ ବିଭାଗର ପ୍ରଭାରୀ ଥିବା ଅଲଜୋ ଜୋସେଫ୍‌ ଖ୍ରୀଷ୍ଟିଆନ୍‌ ମିଶେଲ୍‌ଙ୍କ କେସ୍‌ ଲଢ଼ିବାକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି । ଯଦିଓ କଂଗ୍ରେସ ଜୋସେଫ୍‌ଙ୍କୁ ଦଳରୁ ବାହାର କରିଛି ତଥାପି ବିଜେପି ଆକ୍ରମଣର କୌଣସି ସୁଯୋଗ ହାତଛଡ଼ା କରିନାହିଁ ।

ଦୁବାଇରୁ ଭାରତକୁ ପ୍ରତ୍ୟର୍ପିତ ହୋଇ ଆସିଥିବା ମିଶେଲଙ୍କ ପାଇଁ କେସ୍‌ ଲଢ଼ିବେ ଓକିଲ ଅଲ୍‌ଜୋ ଜୋସେଫ୍‌ । ଜୋସେଫ୍‌ଙ୍କ ଆଉ ଏକ ପରିଚୟ ହେଲା ସେ ଥିଲେ ଯୁବ କଂଗ୍ରେସର ଆଇନ୍‌ ବିଭାଗର ପ୍ରଭାରୀ । କିନ୍ତୁ ମିଶେଲଙ୍କ କେସ୍‌ ଲଢ଼ିବାକୁ ନେଇ କଂଗ୍ରେସ ଜୋସେଫ୍‌ଙ୍କୁ ଦଳରୁ ବାହାର କରିଦେଇଛି ।

ଏହାକୁ ହିଁ ପ୍ରସଙ୍ଗ କରି ବିଜେପି କଂଗ୍ରେସ ଉପରେ କରୁଛି ଘନ ଘନ ଆକ୍ରମଣ । ନିର୍ବାଚନ ଋତୁରେ କଂଗ୍ରେସ ବିରୋଧରେ ଆଉ ଏକ ଅସ୍ତ୍ର ପାଇ ବିଜେପି ଏହାକୁ ହାତଛଡ଼ା କରିନାହିଁ ।

ଗୋଟିଏ ପଟେ ଖ୍ରୀଷ୍ଟିଆନ୍‌ ମିଶେଲ୍‌ ଓ ଅଲଜୋ ଜୋସେଫ୍‌ଙ୍କୁ ନେଇ ବିଜେପି ଆକ୍ରାମକ ହୋଇଛି । ଅନ୍ୟପଟେ କଂଗ୍ରେସ ବି ଏହି ମାମଲାକୁ ନେଇ ପ୍ରତିଆକ୍ରମଣ କରିଛି । ଅରୁଣ ଜେଟଲୀ ଓ ରବିଶଙ୍କର ପ୍ରସାଦଙ୍କ ବିରୋଧରେ ଦାଗୀମାନଙ୍କୁ ସହଯୋଗ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ ।

ଏଥିସହ କଂଗ୍ରେସ ବିଜେପି ଉପରେ ଆହୁରି ମଧ୍ୟ ଅଭିଯୋଗ କରିଛି । କହିଛି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ଇଟାଲୀର ଏକ କୋର୍ଟ ଦୁଇ ଜଣଙ୍କୁ ମୁକ୍ତ କରିଛି । କିନ୍ତୁ ମାମଲାକୁ ନେଇ ରାଜନୀତି କରୁଥିବା ମୋଦି ସରକାର ଇଟାଲୀର କୋର୍ଟରେ ଏହା ବିରୋଧରେ ଆବେଦନ କରିନାହାନ୍ତି ।

ଏବେ ମଧ୍ୟସ୍ଥି ମିଶେଲ୍‌ଙ୍କୁ 5 ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି ସିବିଆଇ । ସିବିଆଇର ପଚରାଉଚୁରା ସମୟରେ ପତ୍ତା ଲଗାଇବ ଯେ 3600 କୋଟିର ଭିଭିଆଇପି ହେଲିକପ୍ଟର ଡିଲ୍‌ କରାଇବାକୁ ମିଶେଲ୍‌ କାହା କାହାକୁ କୋଟି କୋଟି ଟଙ୍କା ଦେଇଥିଲେ ।

Related Posts