ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ବିଜେପି ଶୁଭେନ୍ଦୁ ଅଧିକରିଙ୍କୁ ବାଛିଛି। ଯାହାକୁ ନେଇ ଦେଶର ରାଜନୀତି ବେଶ୍ ସରଗରମ । ଏନେଇ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିଛି। ଆଜି ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଘୋଷଣା କରିଛନ୍ତି। ତେବେ ଶନିବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶୁଭେନ୍ଦୁ ଅଧିକାରୀ ଭାବରେ, ବିଜେପି କେବଳ ବଙ୍ଗଳାରେ ନୁହେଁ ବରଂ ଉତ୍ତର-ପୂର୍ବ ଭାରତରେ ମଧ୍ୟ ଜଣେ କଠୋର ନେତା ପାଇବ ବୋଲି ଅନୁମାନ କରାଯାଉଛି । ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଶୁଭେନ୍ଦୁ ଅଧିକାରୀ ।
ଆସନ୍ତୁ ଜାଣିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ..
ଶୁଭେନ୍ଦୁ ଅଧିକାରୀ ଡିସେମ୍ବର ୧୫, ୧୯୭୦ ରେ ପୂର୍ବ ମେଦିନୀପୁରର କାନ୍ଥିର ଏକ ଧନୀ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶିଶିର ଅଧିକାରୀ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ଶିଶିର ଅଧିକାରୀ ତିନିଥର ଏମ୍ପି ହୋଇଛନ୍ତି। ଶିଶିର ଅଧିକାରୀ ପ୍ରଥମେ ୨୦୦୯ରେ ୧୫ତମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ, ତା’ପରେ ୨୦୧୪ରେ ୧୬ତମ ଲୋକ ସଭା ଏବଂ ୨୦୧୯ରେ ୧୭ତମ ଲୋକ ସଭାକୁ ପୁନଃନିର୍ବାଚିତ ହୋଇଥିଲେ। ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ଏବଂ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସମ୍ପର୍କିତ ସ୍ଥାୟୀ ସଂସଦୀୟ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ଶୁଭେନ୍ଦୁ ୧୯୯୫ ମସିହାରେ ପଶ୍ଚିମବଙ୍ଗରେ ପୌର ନିଗମ ନିର୍ବାଚନ ସମୟରେ କଂଗ୍ରେସ ଦଳରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।
୧୯୯୮ରେ ସେ ନୂଆ କରି ଗଠନ ହୋଇଥିବା ଟିଏମ୍ସିରେ ଯୋଗ ଦେଇଥିଲେ। ମମତା ବାନାର୍ଜୀଙ୍କ ଦଳରେ ଶୁଭେନ୍ଦୁଙ୍କର ଖୁବ୍ଶୀଘ୍ର ଉତ୍ଥାନ ହୋଇଥିଲା ଏବଂ ଉପକୂଳ ବଙ୍ଗରେ ସେ ଜଣେ ବଳିଷ୍ଠ ସାଂଗଠନିକ ଚେହେରାରେ ପରିଣତ ହୋଇଥିଲେ। କାନ୍ଥି ଦକ୍ଷିଣ ଆସନରୁ ପ୍ରଥମେ ୨୦୦୬ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ବାମ ଦଳ ବିରୋଧରେ ସିଙ୍ଗୁର ଏବଂ ନନ୍ଦୀଗ୍ରାମ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି ଅଭିଯାନ ମମତାଙ୍କୁ ୨୦୧୧ରେ କ୍ଷମତାକୁ ଆଣିବାପାଇଁ ବେଶ୍ ସହଯୋଗ କରିଥିଲା। ମମତାଙ୍କ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ତାଙ୍କ ସରକାରରେ ଜଣେ ମନ୍ତ୍ରୀ ଥିଲେ।
ସେ ମଧ୍ୟ ୨୦୦୯ ଏବଂ ୨୦୧୪ରେ ତାମଲୁକ ଲୋକସଭା ଆସନରେ ସାଂସଦ ହୋଇଥିଲେ। ପୂର୍ବ ମେଦିନୀପୁରରେ ତୃଣମୂଳ ସ୍ତରରେ ଦୃଢ଼ ନେଟୱର୍କ ପାଇଁ ଜଣାଶୁଣା ଅଧିକାରୀ ଟିଏମ୍ସିର ଜଣେ ପ୍ରମୁଖ ରଣନୀତିଜ୍ଞ ପାଲଟିଥିଲେ। କିନ୍ତୁ ଦଳୀୟ ନେତୃବୃନ୍ଦଙ୍କ ସହ ମତଭେଦ ବୃଦ୍ଧି ସାଙ୍ଗକୁ ଅଭିଷେକ ବାନାର୍ଜୀଙ୍କ ଉତ୍ଥାନ ଶୁଭେନ୍ଦୁ ଅଧିକାରୀ ଏବଂ ମମତାଙ୍କ ମଧ୍ୟରେ ଦୂରତା ବଢ଼ାଇଦେଲା। ୨୦୨୦ରେ ଶୁଭେନ୍ଦୁ ବିଜେପିରେ ଯୋଗ ଦେବା ସହ ପଶ୍ଚିମବଙ୍ଗ ରାଜନୀତି ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେବାକୁ ଲାଗିଲା ।
୨୦୨୧ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ନନ୍ଦିଗ୍ରାମ ଆସନରେ ମମତା ବାନାର୍ଜୀଙ୍କୁ ହରାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଆଉ ଏବେ ୨୦୨୬ ବିଧାନସଭା ନିର୍ବାଚନରେ ମଧ୍ୟ ଶୁଭେନ୍ଦୁ ଭବାନୀପୁରରେ ଲଢ଼ି ମମତାଙ୍କୁ ୧୫ ହଜାର ଭୋଟ୍ ବ୍ୟବଧାନରେ ହରାଇବାରେ ସଫଳ ହୋଇଛନ୍ତି।
