ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ। ଅଗ୍ନିମିତ୍ରା ପଲ୍ ଓ ନିସିଥ ପରମାଣିକ ହେଲେ ଉପମୁଖ୍ୟମନ୍ତ୍ରୀ। ତେବେ ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ରାଜ୍ୟରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ଆଜି ସନ୍ଧ୍ୟାରେ ଶୁଭେନ୍ଦୁ ଅଧିକାରୀ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ରବୀନ୍ଦ୍ର ଜୟନ୍ତୀ ଅବସରରେ ଶନିବାର ସକାଳ ୧୦ଟାରେ କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ NDA ଶାସିତ ୨୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ସେପଟେ ନୂଆ ସରକାରରେ ଅନେକ ପ୍ରଭାବଶାଳୀ ନେତା ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଦିଲୀପ ଘୋଷ, ଶଙ୍କର ଘୋଷ, ସ୍ଵପନ ଦାସଗୁପ୍ତ, ଜିତେନ୍ଦ୍ର ତିୱାରୀ, ରୁଦ୍ରନୀଲ ଘୋଷ, ଦୁଧକୁମାର ମଣ୍ଡଳ, ନୀଳାଦ୍ରି ଶେଖର ଏବଂ ପ୍ରଣତ ଟୁଡୁ।