ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବଢିଚାଲିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଏହା ମଧ୍ୟରେ ପୁଣି ସାମ୍ନାକୁ ଆସିଲା ହାଓଡ଼ାରେ ବୋମା ଫିଙ୍ଗିବା ଓ ସମ୍ପତ୍ତି ଭଙ୍ଗାରୁଜା କରିବାର ଭିଡିଓ । ହାଓଡ଼ାର ଶିବପୁର ଅଞ୍ଚଳରୁ ଏକ ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଏକ ଭିଡ଼ ରାସ୍ତାରେ ବିଶୃଙ୍ଖଳା ମଧ୍ୟରେ ବୋମା ଫିଙ୍ଗିବା ଓ ସମ୍ପତ୍ତି ଭଙ୍ଗାରୁଜା କରିବା ସହ ‘ଆଲ୍ଲାହୁ ଆକବର’ ଓ ‘ନାରା-ଏ-ତକବୀର’ ପରି ସ୍ଲୋଗାନ ଦେଉଛି। ଶିବପୁରର ଚୌରାବସ୍ତି ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଅନ୍ୟୂନ ଦୁଇଜଣ କର୍ମୀ ଆହତ ହୋଇଥିବା ଦାବି କରି ବିଜେପି ଏହି ହିଂସା ପାଇଁ ବିଦାୟୀ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସହ ଜଡିତ କର୍ମୀଙ୍କୁ ଦାୟୀ କରିଛି। ଟିଏମ୍‌ସି ଗୁଣ୍ଡାମାନେ ବୋମା ପକାଇଥିବା ବିଜେପି ଅଭିଯୋଗ କରିଛି।

ସେପଟେ ବିଜେପି ନେତାଙ୍କ କହିବା ଅନୁସାରେ, ସ୍ଥାନୀୟ ନେତା ଆମିମ ଅହମଦଙ୍କ ନେତୃତ୍ୱରେ ଟିଏମ୍‌ସିର ସମର୍ଥକମାନେ ସେହି ଅଞ୍ଚଳରେ ବିଜେପି କର୍ମୀଙ୍କୁ ଟାର୍ଗେଟ୍ କରିବା ପରେ ହିଂସା ଆରମ୍ଭ ହୋଇଥିଲା। ସଂଘର୍ଷ ସମୟରେ ବିଜେପି କର୍ମୀମାନଙ୍କୁ ପଥର, ଇଟା ଓ ଦେଶୀ ବୋମା ଦ୍ୱାରା ଆକ୍ରମଣ କରାଯାଇଥିଲା। ଦୁଇଜଣ ବିଜେପି କର୍ମୀ ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଉତ୍ତେଜନା ବୃଦ୍ଧି ପାଇବା ପରେ ଏହି ଅଞ୍ଚଳରେ ପୁଲିସ କର୍ମଚାରୀ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଭାରୀ ମୁତୟନ ହୋଇଥିଲା।