ଆଜିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ

ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ। ଶନିବାର ସକାଳ ୧୦ଟା ୪୫ରେ ଭୁବନେଶ୍ୱର ଛାଡ଼ିବ ଆଲାଏନ୍ସ ଏୟାର ବିମାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପତାକା ଦେଖାଇ ଏହି ଉଡ଼ାଣର ଶୁଭାରମ୍ଭ କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ‌ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଥିବା ବେଳେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ପଣ୍ଡା ବିମାନବନ୍ଦରରେ ଉପସ୍ଥିତ ରହିବେ।

ଭୁବନେଶ୍ୱର ଛାଡ଼ିଲା ପରେ ବିମାନଟି ପୂର୍ବାହ୍ନ ୧୧ଟା ୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବ।ଏହାପରେ ମଧ୍ୟାହ୍ନ ୧୨ଟା ୫ରେ ବିମାନ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ନ ୧ଟାରେ ପହଞ୍ଚିବ। ଆସନ୍ତା ୧୨ତାରିଖରୁ ଏହି ବିମାନ ଦୈନିକ ଉଡାଣ କରିବ। ପ୍ରତିଦିନ ଅପରାହ୍ନ ୨ଟା ୫୫ରେ ବିମାନ ଭୁବନେଶ୍ବରରୁ ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଞ୍ଚିବ। ରାଉରକେଲାରୁ ଅପରାହ୍ଣ ୪ଟା ୧୫ରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ। ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ରହିଛି। ସେହିପରି ରାଉରକେଲାରୁ ଭୁବନେଶ୍ୱର ବିମାନର ଟିକେଟ୍‌ ମୂଲ୍ୟ ୨୭୨୧ ଟଙ୍କା ରଖାଯାଇଛି। ବିମାନରେ ୭୨ସିଟ୍‌ ରହିଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

Related Posts