ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ମାମଲା; କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ଦେବା ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଫେବୃଆରୀ ୧୫ ତାରିଖ ସୁଦ୍ଧା ପ୍ରସଙ୍ଗରେ ଜବାବ ରଖିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଶୁକ୍ରବାର ମାମଲାର ଶୁଣାଣିରେ ସାରା ଦେଶର ହାଇକୋର୍ଟ ମାନଙ୍କରେ ଚାଲିଥିବା ଏ ସମ୍ପର୍କିତ ମାମଲାଗୁଡିକୁ ନିଜ ପାଖକୁ ଟ୍ରାନ୍ସଫର କରାଇ ଦେଇଛନ୍ତି।ଏବେ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ।

ତେବେ ଗତ ଜାନୁୟାରୀ ୩ ତାରିଖ ଦିନ ସୁପ୍ରିମକୋର୍ଟ ସମଲିଙ୍ଗି ବିବାହକୁ ମାନ୍ୟତା ସମ୍ପର୍କିତ ହାଇକୋର୍ଟରେ ଲମ୍ବିତ ପିଟିସନ ଗୁଡିକୁ ନିଜ ପାଖକୁ ଟ୍ରାନ୍ସଫର କରି ଜାନୁୟାରୀ ୬ ତାରିଖ ଦିନ ଶୁଣାଣି କରିବେ ବୋଲି କହିଥିଲେ। ସିଜେଆଇ ଡି.ୱାଇ.ଚନ୍ଦ୍ରଚୁଡ଼, ଜଷ୍ଟିସ୍ ପି.ଏସ୍.ନରସିମହା, ଜଷ୍ଟିସ୍ ଜେ.ପାରଦିୱାଲାଙ୍କ ବେଞ୍ଚ ସମଲିଙ୍ଗି ବିବାହ ମାମଲାର ଶୁଣାଣି କରୁଛନ୍ତି। ଶୁକ୍ରବାର କୋର୍ଟ ସମଲିଙ୍ଗି ବିବାହ ସମ୍ପର୍କିତ ସବୁ ପିଟିସନକୁ ଏକତ୍ର କରି ମାମଲାରେ କେନ୍ଦ୍ର ସରକାରଙ୍କୁ ସଂଯୁକ୍ତ ଜବାବ ଦେବାକୁ କହିଛନ୍ତି। ଏଥିଲାଗି କୋର୍ଟ କେନ୍ଦ୍ର ସରକାରଙ୍କୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଜବାବ ମିଳିବା ପରେ କୋର୍ଟ ଶୁଣାଣିଲାଗି ମାମଲାକୁ ମାର୍ଚ୍ଚରେ ସୂଚୀବଦ୍ଧ କରିବେ। ଏହି ମାମଲାର ଶୁଣାଣି କାଳରେ ଯଦି କେହି ଆବେଦନକର୍ତ୍ତା ଶାରୀରିକ ଭାବେ କୋର୍ଟରେ ହାଜର ହୋଇ ପାରୁ ନାହାନ୍ତି ତେବେ ଭର୍ଚୁଆଲି କୋର୍ଟରେ ହାଜର ହୋଇପାରିବେ ବୋଲି ବେଞ୍ଚ କହିଛନ୍ତି। କୋର୍ଟ କେନ୍ଦ୍ର ଓ ପିଟିସନରଙ୍କ ଓକିଲଙ୍କୁ ପ୍ରସଙ୍ଗରେ ଯଦି କୌଣସି ଆଇନ ଅଥବା ଉଦାହରଣ ଥାଏ ତାହା ଏକ ଲିଖିତ ନୋଟ୍ ଜରିଆରେ ଦାଖଲ କରିପାରିବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ଯ ଯେ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମଲୈଙ୍ଗିକ ବିବାହକୁ ମାନ୍ୟତା ଦେବା ସମ୍ପର୍କିତ ପିଟିସନ ଉପରେ ଜବାବ ତଲବ କରିଛନ୍ତି। କୋର୍ଟ ଦୁଇ ସମଲିଙ୍ଗି ଯୋଡିଙ୍କ ଦ୍ୱାରା ବିବାହ ଲାଗି ସେମାନଙ୍କ ଅଧିକାରକୁ ଲାଗୁ କରିବା ଓ ସ୍ୱତନ୍ତ୍ର ବିବାହ ଅଧିନିୟମରେ ସେମାନଙ୍କ ବିବାହ ପଞ୍ଜିକରଣ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଲାଗି ଦାବି ସମ୍ପର୍କିତ ପୃଥକ ପୃଥକ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।

Related Posts