ମେ’ରୁ ଭୁବନେଶ୍ୱରରୁ ବିଦେଶକୁ ପୁଣି ଉଡ଼ିବ ବିମାନ

ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ପୁଣି ଥରେ ଭୁବନେଶ୍ୱରରୁ ଆରମ୍ଭ ହେବ ଆନ୍ତର୍ଜାତିକ ବିମାନ ଉଡ଼ାଣ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଦୁବାଇ, ବ୍ୟାଙ୍କକ, ସିଙ୍ଗାପୁରକୁ ବିମାନ ଚଳାଚଳ କରିବ । ଆସନ୍ତା ମେ’ ମାସରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଆନ୍ତର୍ଜାତିିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି ।ଏ ନେଇ ସରକାରୀ ସ୍ତରରେ ଓ ବିମାନବନ୍ଦରରେ ପ୍ରସ୍ତୁତି ଜୋରଦାର ହୋଇଛି ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ବର୍ତ୍ତମାନ ଆନ୍ତର୍ଜାତିକ ଟମିର୍ନାଲର ନବକଳେବର କାମ ଜୋରସୋରରେ ଚାଲିଛି । ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ କାମ ସରିବ । ବିମାନବନ୍ଦର ଟର୍ମିନାଲ ନୂଆ ରୂପରେ ଛିଡ଼ା ହେବ । ଏହା ପରେ ଡିଜିସିଏ, କଷ୍ଟମ ଆଦିରୁ ଅନୁମୋଦନ ଅଣାଯିବ । ନିୟମିତ ପ୍ରକ୍ରିୟା ସରିବା ପରେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେବ । ସମ୍ଭବତଃ ମେ’ରୁ ବିଦେଶକୁ ବିମାନ ଉଡ଼ିବା ସମ୍ଭାବନା ଅଛି ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଭୁବନେଶ୍ୱରରୁ ବିଦେଶକୁ ବିମାନ ଚଳାଚଳ ଆରମ୍ଭ ହେବ । ଗତ ଡିସେମ୍ବରରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ଇଣ୍ଡିଗୋ ଏୟାରଲାଇନ୍ସ ଭୁବନେଶ୍ୱରରୁ ଏହି ୩ ରୁଟରେ ବିମାନ ଚଳାଇବ । ୧୮୬ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ । ରାଜ୍ୟ ସରକାର ବିମାନ ଚଳାଚଳର ଖର୍ଚ୍ଚ ବହନ କରିବେ । ଟିକଟରୁ ସମସ୍ତ ଆୟ ରାଜ୍ୟ ସରକାରଙ୍କ ପାଖକୁ ଆସିବ । ସୂଚନାଯୋଗ୍ୟ, କରୋନା ପରଠୁ ଆନ୍ତର୍ଜାତିକ ବିମାନ ସେବା ଓଡ଼ିଶାକୁ ବନ୍ଦ ହୋଇଯାଇଥିଲା ।

Related Posts