ଓଡିଶାରୁ ୧୫ ଦେଶର ୧୮ ସ୍ଥାନକୁ ଉଡିବ ବିମାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜଧାନୀ ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରରୁ ୧୫ଟି ଦେଶକୁ ବିମାନ ଚଳାଚଳ କରିବାର ବ୍ୟବସ୍ଥା ରହିଛି । ଏହି ୧୫ଟି ଦେଶର ୧୮ଟି ସ୍ଥାନକୁ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଚଳାଚଳ କରିବ । ଭୁବନେଶ୍ୱରରୁ ୧୫ଟି ଦେଶକୁ ବିମାନ ଚଳାଚଳ କରିବାକୁ ଥିବା ଦେଶ ଗୁଡିକ ହେଉଛି – ବଙ୍ଗଳାଦେଶ, ଭୁଟାନ, ନେପାଳ, ମାଳଦ୍ୱୀପ, ଶ୍ରୀଲଙ୍କା, ସିଙ୍ଗାପୁର, ମାଲେସିୟା, ଥାଇଲ୍ୟାଣ୍ଡ, ବ୍ରୁନେଇ, ଭିଏତନାମ, ଇଣ୍ଡୋନେସିଆ, ମିଆଁମାର, କାମ୍ବୋଡିଆ, ଫିଲିପାଇନ୍ସ ଓ ଲାଓସ । ନିକଟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେଉଁ ଆର୍ନ୍ତଜାତିକ ବିମାନବନ୍ଦରରୁ କେଉଁ ଦେଶକୁ ବିମାନ ଯାତାୟତ କରିବ ସେ ସମ୍ପର୍କରେ ନିଷ୍ପତ୍ତି କେନ୍ଦ୍ର ସରକାର ନେଇଥାନ୍ତି । କିନ୍ତୁ କେଉଁ ଏୟାରଲାଇନ୍ସ କେଉଁଠାରୁ କେଉଁଠାକୁ ବିମାନ ଚଳାଇବ କି ନଚଳାଇବ ସେ ନିଷ୍ପତ୍ତି କେନ୍ଦ୍ର ସରକାର ନେଇନଥାନ୍ତି।

ଯାତ୍ରୀଙ୍କ ସଂଖ୍ୟା ସହିତ ବ୍ୟବସାୟିକ ସ୍ଥିତିକୁ ଦୃଷ୍ଟିରେ ରଖି ରଖି ଏୟାରଲାଇନ୍ସମାନେ ନିର୍ଦ୍ଦିଷ୍ଟ ରୁଟ୍‍ରେ ବିମାନ ଚଳାଚଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ସେମାନଙ୍କୁ ଏଥିଲାଗି ସରକାର ବାଧ୍ୟ କରିପାରିବେ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଭୁବନେଶ୍ୱର ବିଜୁ ଆର୍ନ୍ତଜାତୀୟ ବିମାନବନ୍ଦରର ସମାନ୍ତରାଳ ଟ୍ୟାକ୍ସି ଟ୍ରାକ, ନୂଆକଣ୍ଟ୍ରୋଲ ଟାୱାର, ଟେକ୍ନିକାଲ ବ୍ଲକ ଆଦିର ନିର୍ମାଣ କାମ ଚାଲିଛି ଏବଂ ଏଥିଲାଗି ପ୍ରାୟ ୨୮୯କୋଟି ୫୭ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି ।

କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଉଡାନ୍‍ କାର୍ଯ୍ୟକ୍ରମର ରିଜିଓନାଲ କନେକ୍ଟିଭିଟି ସ୍କିମ୍‍ ଅନୁଯାୟୀ ଓଡିଶାର ଜୟପୁର ଓ ଉତ୍‍କେଲାରୁ ବିମାନ ଚଳାଚଳ ଲାଗି ପ୍ରକ୍ରିୟା ଚୂଡାନ୍ତ ହୋଇଯାଇଛି। କିନ୍ତୁ କେଉଁ ଏୟାରଲାଇନ୍ସ ଏଥିପାଇଁ ଆଗକୁ ଆସିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି । ଯେଉଁ ଏୟାରଲାଇନ୍ସମାନେ ଉଡାନ୍‍ ଯୋଜନାରେ ବିମାନ ଚଳାଚଳ କରନ୍ତି ସେମାନେ କର୍ତ୍ତୃପକ୍ଷଙ୍କ ସହିତ ଚୁକ୍ତିପତ୍ର ସ୍ୱାକ୍ଷର କରିଥାନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୃକ୍ତ ସଂସ୍ଥା ବିମାନ ଚଳାଚଳ ନକଲେ କିମ୍ବା ସମୟ ବୃଦ୍ଧିପାଇଁ ଅନୁମତି ପାଇନଥିଲେ ବିମାନ ଚଳାଚଳ ଲାଗି ଏମାନଙ୍କୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରାଯାଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ପ୍ରତି ଝାରସୁଗୁଡା ବିମାନବନ୍ଦରରୁ ଉଡାନ୍‍ କାର୍ଯ୍ୟକ୍ରମରେ ସଫଳତାର ସହ ବିମାନ ଚଳାଚଳ କରୁଛି । ତେବେ ରାଜ୍ୟରେ ଥିବା ଆଉ କେତେକ ବିମାନବନ୍ଦରର ବିକାଶ କରି ଏହାକୁ ଉଡାନ୍‍ ଯୋଜନାରେ ସାମିଲ ଲାଗି ମଧ୍ୟ କାର୍ଯ୍ୟକ୍ରମ ଜାରି ରହିଛି ।

Related Posts