‘ ବିକାଶ କାର୍ଯ୍ୟରେ ବାଧକ ସାଜୁଛନ୍ତି ଶିବସୈନିକ ‘ – ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ନୀତିନ ଗଡକରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଶିବସେନା କର୍ମୀଙ୍କ ବିରୋଧରେ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ନିତିନ ଗଡକରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଶିବସେନା କର୍ମୀ ମାନେ ରାଜ୍ୟରେ ନିର୍ମାଣ ହେଉଥିବା ଜାତୀୟ ରାଜପଥ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ଏବଂ ବିକାଶ କାର୍ଯ୍ୟରେ ବାଧକ ସାଜିଛନ୍ତି। ବର୍ତ୍ତମାନ ଗଡକରୀଙ୍କ ଏହି ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଏଥିରୁ ବିଜେପି ଏବଂ ଶିବସେନା ମଧ୍ୟରେ ଥିବା ତକ୍ତତା ପୁଣି ଥରେ ସାମ୍ନାକୁ ଆସିଛି। ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଥିବା କଳହ ପୁଣି ଥରେ ବାହାରକୁ ବାହାରିଛି।

ମରାଠୀରେ ଲିଖିତ ଏହି ଚିଠିରେ ନିତିନ ଗଡକରୀ କହିଛନ୍ତି ଯେ ଯଦି ଶିବ ସୈନିକମାନେ ଜାତୀୟ ରାଜପଥର ବିକାଶରେ ଏହିପରି ବ୍ୟାଘାତ ଜାରି ରଖନ୍ତି, ତା’ହେଲେ ଭବିଷ୍ୟତରେ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାର ବିଚାର କରିବେ। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ୱାଶିମ ଠାରେ ଜାତୀୟ ରାଜପଥ ନିର୍ମାଣ ସମୟରେ ଶିବ ସୈନିକ ମାନେ ଗାଳିଗୁଲଜ କରିଥିବାର ଅଭିଯୋଗ ଆସିବା ପରେ ନିତିନ ଗଡକରୀଙ୍କ ତରଫରୁ ଏହି ଚିଠି ଲେଖାଯାଇଥିଲା । ଏବଂ ରାସ୍ତା ନିର୍ମାଣରେ ନିୟୋଜିତ ଥିବା ଏକ ଯନ୍ତ୍ରପାତିକୁ ଶିବ ସୈନିକମାନେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା।

ନିତିନ ଗଡକରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ଆକୋଲା ଏବଂ ନନ୍ଦେଡ ମଧ୍ୟରେ ୨୦୦ କିଲୋମିଟରରୁ ଅଧିକ ଲମ୍ବାର ଜାତୀୟ ରାଜପଥ ନିର୍ମାଣ କରାଯାଉଛି। ୱାଶିମ୍ ସହରକୁ ଏହି ଜାତୀୟ ରାଜପଥ ନିର୍ମାଣ ସହିତ ଯୋଡିବା ପାଇଁ ଗୋଟିଏ ବାଇପାସ୍ ମଧ୍ୟ ନିର୍ମାଣ କରାଯିବ କିନ୍ତୁ ଶିବସେନା କର୍ମୀମାନେ ଏହାକୁ ବନ୍ଦ କରି ଦେଇଛନ୍ତି। ଶିବସେନା କର୍ମୀମାନେ ନିର୍ମାଣ କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟରଙ୍କୁ ଧମକ ଦେବା ସହ ମେସିନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

ଏତଦ୍ ବ୍ୟତୀତ ନୀତିନ ଗଡକରୀ ଏହି ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଶିବସେନା କର୍ମଚାରୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟାଘାତ ଯୋଗୁଁ ଜାତୀୟ ରାଜପଥ ନିର୍ମାଣ ମଧ୍ୟ ବନ୍ଦ ହୋଇଯାଇଛି। ଯଦି ଏହିପରି ଜାରି ରହେ, ତେବେ ମହାରାଷ୍ଟ୍ରର ନାଗରିକ ଭାବେ ସେ ଦୁଃଖ ଅନୁଭବ କରିବେ । ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ନିର୍ମାଣ କାର୍ଯ୍ୟରେ ଏହିପରି ବ୍ୟାଘାତ ଜାରି ରହେ ତେବେ ମହାରାଷ୍ଟ୍ରରେ ଜାତୀୟ ରାଜପଥ ନିର୍ମାଣ ପାଇଁ ଅନୁମୋଦନ ଦେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିନ୍ତା କରିବାକୁ ପଡ଼ିବ। ତଥାପି, ସେ ତାଙ୍କ ଚିଠିରେ ଉଦ୍ଧବ ଠାକରେଙ୍କୁ କହିଛନ୍ତି ଯେ ଆପଣ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଏବଂ ଏହାର ବାଟ ବାହାର କରିବା ଉଚିତ୍।

Related Posts