ପ୍ରକଳ୍ପ ଓ ସେବାରେ ଅଧିକ ଦକ୍ଷତା ଆଣିବା ପାଇଁ ୫-ଟି ନୀତି ଅନୁସରଣ କର; ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ପ୍ଲାଟିନମ୍‌ ଜୁବିଲି ଓ ୭୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ପ୍ରକଳ୍ପ ଓ ସେବାରେ ଅଧିକ ଦକ୍ଷତା ଆଣିବା ପାଇଁ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ଶାସନ ମଡେଲର ୫-ଟି ନୀତି ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ପରାମର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ଇଞ୍ଜିନିୟରମାନଙ୍କର ୫-ଟି ପଦକ୍ଷେପ ଅଧିକ ମହତ୍ୱପୂର୍ଣ୍ଣ।ଲୋକଙ୍କୁ ପ୍ରଦାନ କରାଯାଉଥିବା ସେବାଗୁଡିକର ଦକ୍ଷତା ଦ୍ୱାରା ଆମର ବିକାଶ ମଡେଲର ଦୃଶ୍ୟମାନତା ଅଧିକ ସ୍ପଷ୍ଟ ହୋଇଛି। ଏହା ଜଳଯୋଗାଣଠାରୁ ଆରମ୍ଭ କରି ରାସ୍ତା ନିର୍ମାଣ କିମ୍ବା କୌଣସି ପ୍ରକଳ୍ପ ହୋଇପାରେ। ମୋ ସରକାରଙ୍କ ଏହି ନିର୍ଦ୍ଦେଶଗୁଡିକ ପାଳନ କରିବା ଦ୍ୱାରା ରାଜ୍ୟବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଡିପ୍ଲୋମା ଇଞ୍ଜିନିୟରମାନେ ହେଉଛନ୍ତି ସରକାରଙ୍କ ମେରୁଦଣ୍ଡ। ସରକାରଙ୍କ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ତଥା ଭିତ୍ତିଭୂମି ରକ୍ଷଣାବେକ୍ଷଣ, ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରାଯାଇଛି। ସଂଘର ଦାବି ଉପରେ ଆଲୋକପାତ କରିବା ସହିତ ସମସ୍ତ ଦାବି ଉପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ପ୍ରୀତିରଞ୍ଜନ ଘଡେଇ, ତୁଷାରକାନ୍ତି ବେହେରା, ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ବାର୍ଷିକ ସାଧାରଣ ସଭାରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଆଗାମୀ ବର୍ଷର କାର୍ଯ୍ୟ ଖସଡା ଅନୁମୋଦିତ ହୋଇଥିଲା। ସର୍ବସମ୍ମତିକ୍ରମେ କେତେକ ଦାବି ଗୃହୀତ ହୋଇଥିଲା। ଡିପ୍ଲୋମା ଇଞ୍ଜିନିୟରଙ୍କ ପଦୋନ୍ନତି ହାର ଶତକଡା ୪୦ ଭାଗ ପରିବର୍ତ୍ତେ ୫୦ ଭାଗକୁ ବୃଦ୍ଧି, ସବୁ ବିଭାଗର ଡିପ୍ଲୋମା ଇଂଜିନିୟରଙ୍କ ନିମିତ୍ତ ଏକକ କ୍ୟାଡର ରୁଲ୍‌ ଲାଗୁ ଓ ଡିପ୍ଲୋମା କ୍ୟାଡରରୁ ଠିକା ନିଯୁକ୍ତି ପ୍ରଥା ସମ୍ପୂର୍ଣ୍ଣ ବିଲୋପ ପାଇଁ ନିଷ୍ପତ୍ତି ହୋଇଥିଲା।

Related Posts