ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ପୌର ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଭୋଟ ଗ୍ରହଣ ପରେ ଇଭିଏମକୁ ସୁରକ୍ଷିତ ରଖିବା ପାଇଁ ଏସଓପି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଅର୍ଥାତ ରାଜ୍ୟର ପୌର ନିର୍ବାଚନର ଭୋଟ ଗ୍ରହଣ ପରେ ଇଭିଏମଗୁଡ଼ିକୁ ସୁରକ୍ଷିତ ରଖାଯିବ । ଏନେଇ ଷ୍ଟ୍ରଙ୍ଗରୁମ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ଷ୍ଟ୍ରଙ୍ଗରୁମ ଖୋଲିବା ଏବଂ ବନ୍ଦ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଏସଓପି ସ୍ଥିର କରିଛନ୍ତି । ଏହାକୁ ସମସ୍ତ ନିର୍ବାଚନ ଅଧିକାରୀ ଠିକ ଭାବରେ ପାଳନ କରିବା ପାଇଁ ଏସଇଓି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପ୍ରତ୍ୟେକ ପୌରପରିଷଦ ୩ ପ୍ରକାରର ଷ୍ଟ୍ରଙ୍ଗରୁମ ସ୍ଥାପନ କରିବେ । କାଉନସିଲର ପଦବୀ, ମେୟର ପଦବୀ ଏବଂ ସଂରକ୍ଷିତ ଇଭିଏମ ରଖିବା ପାଇଁ ୩ଟି ଷ୍ଟ୍ରଙ୍ଗରୁମ ସ୍ଥାପନ କରାଯିବ । ଯଦି ଗୋଟିଏ ପ୍ରକାରର ଷ୍ଟ୍ରଙ୍ଗରୁମରେ ସମସ୍ତ ଇଭିଏମକୁ ରଖିବାକୁ ସ୍ଥାନ ଅଭାବ ଦେଖାଯାଏ ।

ତେବେ ଅନ୍ୟ ଏକ ଷ୍ଟ୍ରଙ୍ଗରୁମରେ ସବୁ ରଖାଯିବ । ସେହି ଷ୍ଟ୍ରଙ୍ଗରୁମର ପ୍ରବେଶ ଦ୍ୱାରରେ ଠିକ ଭାବେ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମକୁ ଯିବା ଆସିବା ପାଇଁ ଗୋଟିଏ ମାତ୍ର ଦ୍ୱାର ବା ପ୍ରବେଶ ପଥ ରହିବ । ଯଦି ଷ୍ଟ୍ରଙ୍ଗରୁମରେ ପୂର୍ବରୁ ଝରକା କିମ୍ବା ଏକାଧିକ ଦ୍ୱାର ଥାଏ । ତାହାଲେ ସେଗୁଡ଼ିକୁ ଇଟା ଦ୍ୱାରା ଠିକ ଭାବରେ ସିଲ କରିଦିଆଯିବ । ଷ୍ଟ୍ରଙ୍ଗରୁମ ଭିତରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ଷ୍ଟ୍ରଙ୍ଗରୁମ ବାହାରେ ମେନସୁଇଚ ରହିବ । ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ବାଚନ ସାମଗ୍ରୀ ଓ ଦସ୍ତାବିଜ ମତଦାନ ସଂଗୃହୀତ ହୋଇଥିବା ଇଭିଏମ ସହ ଷ୍ଟ୍ରଙ୍ଗରୁମରେ ରହିବ ।

ଷ୍ଟ୍ରଙ୍ଗରୁମରେ ଇଭିଏମଗୁଡ଼ିକୁ ଗଚ୍ଛିତ କରି ରଖିବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ ନିର୍ମାଣ କରିଥିବା କତ୍ତୃପକ୍ଷଙ୍କ ଠାରୁ ଷ୍ଟ୍ରଙ୍ଗରୁମର ସ୍ଥାୟିତ୍ୱ ଓ ଗୁଣବତ୍ତା ସମ୍ପର୍କିତ ଏକ ପ୍ରମାଣପତ୍ର ଆଣି ନିଜ ପାଖରେ ରଖିପାରିବେ । ଷ୍ଟ୍ରଙ୍ଗରୁମଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଡବଲ ଲକ ବ୍ୟବସ୍ଥା କରାଯାଇ ୨ଟି ଚାବିକୁ ଅଲଗା ଅଲଗା ୨ ଜଣ ଅଧିକାରୀଙ୍କ ଦାୟିତ୍ୱରେ ରଖାଯିବ । ଗୋଟିଏ ଚାବି ନିର୍ବାଚନ ଅଧିକାରୀ ଏବଂ ଅନ୍ୟଟି ଜିଲ୍ଲା କୋଷାଗାର ଅଧିକାରୀ କିମ୍ବା ଉପକୋଷାଗାର ଅଧିକାରୀ କିମ୍ବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ରଖାଯିବ ।