ଜଙ୍ଗଲରେ ଯୁବତୀଙ୍କୁ ବନ୍ୟଜନ୍ତୁ ବାର୍‌ହା ଭାବି ଗୁଳି ଚଳାଇଲେ ଶିକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜଙ୍ଗଲରେ ଜଣେ ଯୁବତୀଙ୍କୁ ବାରହା ଭାବି ଶିକାର ପାଇଁ ଛକିଥିବା ଶିକାରୀମାନେ ଗୁଳିଚଳାଇଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସଦର ବ୍ଲକ ଧରୁଆଡିହି ଥାନା ଅନ୍ତର୍ଗତ ଲମଟି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥିରେ ଯୁବତୀ ଜଣଙ୍କ ଆହତ ହୋଇଛନ୍ତି । ଯୁବତୀ ଜଣଙ୍କ ହେଉଛନ୍ତି ଉର୍ବଶୀ ନାଏକ । ତେବେ ଉର୍ବଶୀ ଗ୍ରାମର ଅନ୍ୟକେତେଜଣ ମହିଳାଙ୍କ ସହ ମିଶି ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ । ଜାଳେଣି ସଂଗ୍ରହବେଳେ ବାରହା ଶିକାର ପାଇଁ ଛପିଥିବା ଶିକାରୀମାନେ କିଛି ଶବ୍ଦ ଶୁଣିଥିଲେ । ପରେ ଉକ୍ତ ସ୍ଥାନରେ ବାରହା ଥିବା ଅନୁମାନ କରି ଗୁଳି ଚଳାଇଥିଲେ । ଗୁଳିଟି ଯାଇ ଉର୍ବଶୀଙ୍କ ପଛ ପଟେ ବାଜିଥିଲା ।

ଗୁଳି ବାଜିବା ମାତ୍ରେ ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ । ପାଖରେ ଥିବା ମହିଳାମାନେ ତାଙ୍କୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ । ପରେ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଯୁବତୀ ଜଣଙ୍କ ବିପଦରୁ ମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ଲମଟି ଜଙ୍ଗଲକୁ ଖାନତଲାସି ଚଳାଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts