ପ୍ରଥମଥର ପାଇଁ ଲ୍ୟାବରେ ପ୍ରସ୍ତୁତ ହେଲା କୃତ୍ରିମ ରକ୍ତ, ରୋଗୀଙ୍କ ପାଇଁ ସାବ୍ୟସ୍ତ ହେବ ସଞ୍ଜିବନୀ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାରା ବିଶ୍ୱରେ ପ୍ରଥମ ଥର ପାଇଁ ପରୀକ୍ଷାଗାରରେ ପ୍ରସ୍ତୁତ ହେଲା କୃତ୍ରିମ ରକ୍ତ । ଯାହା ରୋଗୀଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇପାରେ । ଏବେ ଏହାର କ୍ଲିନିକାଲ ପରୀକ୍ଷଣ ଚାଲିଛି ବୋଲି ସୂଚନା ଦେଇଛନ୍ତି ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲର ବୈଜ୍ଞାନିକ ।

ରକ୍ତକୁ ନେଇ ବୈଜ୍ଞାନିକଙ୍କ ନୂଆ ଆବିଷ୍କାର । ଲ୍ୟାବରେ ପ୍ରସ୍ତୁତ କରାଯାଇଛି କୃତ୍ରିମ ରକ୍ତ ।ଦୁନିଆଁରେ ପ୍ରଥମ ଥର ପରୀକ୍ଷଣ ଆଧାରରେ ଏହି ରକ୍ତ ୨ଜଣ ବ୍ୟକ୍ତିଙ୍କୁ ଦିଆଯାଇଛି । ଯଦିଓ ଏହା ନକଲି ରକ୍ତର ପ୍ରଥମ କ୍ଲିନିକାଲ ଟେଷ୍ଟ । ହେଲେ ଯଦି ଏହା ସଫଳ ହୁଏ ତେବେ ରକ୍ତହୀନତା ସମସ୍ୟା ଭୋଗୁଥିବା ରୋଗୀଙ୍କ ପାଇଁ ଏହା ଏକ ବରଦାନ ପ୍ରମାଣିତ ହେବ । ଏହାସହ ଯେଉଁ ବ୍ୟକ୍ତିଙ୍କର ବିରଳ ବ୍ଳଡ୍ ଗ୍ରୁପ୍ ସେମାନେ ଯଦି କୌଣସି ଦୁର୍ଘଟଣାର ଶିକାର ହୁଅନ୍ତି, ଏବଂ ସେମାନଙ୍କୁ ରକ୍ତ ଆବଶ୍ୟକ ପଡେ ତେବେ ସେମାନଙ୍କୁ ଏହି ନକଲି ରକ୍ତ ସେମାନଙ୍କୁ ଦିଆଯାଇପାରିବ ।

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ମୁତାବକ, ଲ୍ୟାବରେ ଏହି ରକ୍ତ ବନାଇବାକୁ ବୈଜ୍ଞାନିକମାନେ ମନୁଷ୍ୟଠାରୁ ମୂଳ ରକ୍ତ କୋଷିକା ନେଇ ବ୍ୟବହାର କରିଥିଲେ । ଏଥିରୁ ପ୍ରସ୍ତୁତ ରକ୍ତକୁ ପ୍ରଥମ ପରୀକ୍ଷଣରେ ୨ଜଣ ବ୍ୟକ୍ତିଙ୍କୁ ୫ରୁ ୧୦ ଏମଏଲ ପରିମାଣର ରକ୍ତ ଦିଆଯାଇଥିଲା । ଏବେ ସେମାନଙ୍କ ଅବସ୍ଥା ସାମାନ୍ୟ ଥିବା ଜଣାପଡିଛି । ସେମାନଙ୍କ ଠାରେ ହେଉଥିବା କ୍ରିୟା ପ୍ରତିକ୍ରିୟା ଉପରେ ବୈଜ୍ଞାନକିଙ୍କ ଗବେଷଣା ଜାରି ରହିଛି । ଏବେ ପର୍ଯ୍ୟନ୍ତ ଏହି ରକ୍ତ ପ୍ରକୃତ ଲୋହିତ କଣିକା ରକ୍ତଠାରୁ ଭଲ କାମ କରୁଛି ଏବଂ ଏହାର ପରୀକ୍ଷଣ ସଫଳ ହେଲେ ଏହା ପ୍ରକୃତ ରକ୍ତର ଚାହିଦାକୁ ମେଣ୍ଟାଇପାରିବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲର ପ୍ରଫେସର ଓ ଏନଆଇଏଚଆର ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ଏଶଲେ ଟୋୟଙ୍କ କହିବା ଅନୁସାରେ ଷ୍ଟେମ୍ ସେଲ୍ସକୁ ବ୍ଲଡ୍ ସେଲ୍ସରେ ପରିଣତ କରିବା ଦିଗରେ ଏହ । ସବୁଠାରୁ ବଡ ପଦକ୍ଷେପ । ପ୍ରଥମ ଥର ପାଇଁ ଏହି ରକ୍ତକୁ ୨ଜଣଙ୍କ ଶରୀରରେ ଦିଆଯାଇଛି । ଏମାନଙ୍କ ଉପରେ ବୈଜ୍ଞାନିକମାନେ ତୀକ୍ଷ୍ନ ନଜର ରଖିଛନ୍ତି । କ୍ଲିନିକାଲ ଟେଷ୍ଟ ପାଇଁ ଅତି କମରେ ୪ଥର ଏହି ନକଲି ରକ୍ତ ଦିଆଯିବ ।

ଏହି ପରୀକ୍ଷଣ ସଫଳ ହେଲେ ଚିକିତ୍ସା ବିଜ୍ଞାନରେ ନୂଆ ଦିଗନ୍ତ ସୃଷ୍ଟି ହେବ । ଲ୍ୟୁକୋମିଆ ପରି ରକ୍ତ ସମ୍ପର୍କୀତ ରୋଗୀଙ୍କଠାରେ ଏହି ରକ୍ତ ଦିଆଯାଇପାରିବ । ଏହାକୁ ଥରେ ଦେଲେ ଅନେକ ଦିନ ଯାଏଁ ଦ୍ୱିତୀୟ ରକ୍ତ ଦେବାର ଆବଶ୍ୟକତା ପଡିବ ନାହିଁ ବୋଲି ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଏହା ବଜାରକୁ ଆସିବାରେ ସମୟ ଲାଗିବ ବୋଲି କୁହାଯାଇଛି ।

Related Posts