ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଜଷ୍ଟିସ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ୫୦ ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ଗତକାଲି ଜଷ୍ଟିସ ୟୁୟୁ ଲଳିତ ୪୯ ତମ ପ୍ରଧାନ ବିଚାରପତି ଭାବେ ନିଜ କାର୍ଯ୍ୟକାଳ ଶେଷ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି ।

ଏହି ଉତ୍ସବରେ ଯୋଗଦେଇଥିଲେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଓ ଜଷ୍ଟିସ ବେଲା ଏମ. ତ୍ରିବେଦୀ । ଏହାସହ ସୁପ୍ରିମକୋର୍ଟର ବହୁ ବିଚାରପତି, ବରିଷ୍ଠ ଆଇନଜୀବୀ ପ୍ରମୁଖ ଯୋଗଦେଇଥିଲେ ।

ତେବେ ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୱାଇ ବି ଚନ୍ଦ୍ରଚୂଡ଼ଙ୍କ ପୁଅ ହେଉଛନ୍ତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼। ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ୟଶୋବନ୍ତ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । ତେବେ ଆସନ୍ତା ୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଚନ୍ଦ୍ରଚୂଡ଼ ।