ବାଲେଶ୍ୱର : ଆଖୁ ବୁଜିଲେ ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସ। ମୃତ୍ୟୁ ବେଳକୁ ତାଂକୁ ୭୫ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଦଳର ରାଜନେତା, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।
ଖବର ଅନୁଯାୟୀ, ୧୯୮୫ରୁ ୧୯୯୦ ଯାଏଁ ବିଧାୟକ ଥିଲେ ଗୋପ ନାରାୟଣ ଦାସ। ୧୯୮୫ ନିର୍ବାଚନରେ ସେ ତାଙ୍କର କଲେଜ ବନ୍ଧୁ ତଥା ପୂର୍ବତନ ସଦର ବିଧାୟକ ସ୍ବର୍ଗତ ଅରୁଣ ଦେ’ଙ୍କୁ ମାତ୍ର ୮୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଛାତ୍ର ଜୀବନରୁ କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିରେ ଅଂଶଗ୍ରହଣ କରିଥିଲେ ଗୋପ ନାରାୟଣ। ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢିଥିଲେ। ସେଠାରେ ସଭାପତି ଭାବେ ନିର୍ବାଚନ ଲଢ଼ି ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ। ପରେ ଆଇନଜୀବୀ ଭାବେ ବାଲେଶ୍ୱରରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୯୭୩ରେ ସେ ବାଲେଶ୍ୱର ମ୍ୟୁନିସିପାଲିଟରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ୧୯୮୦ରେ ସଦର ବ୍ଲକ ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
