କଂଗ୍ରେସକୁ ଭୋଟ ଦେବା ଅର୍ଥ, ଭବିଷ୍ୟତର ବିଜେପି ବିଧାୟକଙ୍କୁ ଚୟନ କରିବା: ରାଘବ ଚଡ୍ଡା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଆ କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ବିଜେପିରେ ଯୋଗଦେବା ପରେ ଆମ୍ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଦଳର ସାଂସଦ ରାଘବ ଚଡ୍ଡା ଏକ ଟୁଇଟ୍‌ରେ କହିଛନ୍ତି ଯେ, ଦିଲ୍ଲୀ ଓ ପଞ୍ଜାବରେ ଅପରେସନ୍ ଲୋଟସ୍ ବିଫଳ ହୋଇଛି, ହେଲେ ଗୋଆରେ ଏହା ସଫଳ ହୋଇଛି କାହିଁକି ? କାରଣ ଆପଣ ଯେତେବେଳେ କଂଗ୍ରେସକୁ ଭୋଟ୍ ଦିଅନ୍ତି, ସେତେବେଳେ ଆପଣ ଜଣେ ଭବିଷ୍ୟତର ବିଜେପି ବିଧାୟକଙ୍କୁ ଚୟନ କରନ୍ତି।କଂଗ୍ରେସ ଏବେ ସମାପ୍ତ ହୋଇ ଯାଇଛି, ଶାନ୍ତିରେ ରୁହନ୍ତୁ।

ଅନ୍ୟ ପକ୍ଷରେ ଗୁଜରାଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆଉ ମାତ୍ର ଦୁଇ ମାସ ବାକି ଅଛି, ଗୁଜୁରାଟରେ ବିଜେପି ଶେଷ ହେବ, ଆମ୍ ଆଦମୀ ପାର୍ଟିର ସରକାର ଆସିବ। ଆମେ ଗୁଜୁରାଟର ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଏହାପୂର୍ବରୁ ଅପରେସନ ଲୋଟସ୍ ଜରିଆରେ ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି। ଏହି ଅପରେସନ ଲୋଟସକୁ କାର୍ଯ୍ୟକାରୀ କରିବାର ତିନୋଟି ଉପାୟ ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ଏଜେନ୍ସିଗୁଡିକ (ସିବିଆଇ, ଇଡି, ଆୟକର ବିଭାଗ) ବ୍ୟବହାର କରିବା, ଶାସକ ଦଳର ବିଧାୟକମାନଙ୍କୁ ଭୟଭୀତ କରିବା ଏବଂ ପ୍ରଲୋଭିତ କରିବା।

Related Posts