ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ୬୫ ବର୍ଷ ବୟସରେ ପରଲୋକ, ଦୀର୍ଘଦିନ ଧରି କିଡନୀ ରୋଗରେ ଥିଲେ ଆକ୍ରାନ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ଉଦଳା ବିଧାୟକ ଶ୍ରୀ ଗୋଲକ ବିହାରୀ ନାୟକ । ଦୀର୍ଘ ଦିନରୁ ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ବୁଧବାର ବାରିପଦାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି-ବିଜେପି ମେଣ୍ଟର ପ୍ରଥମ ସରକାରରେ ଗୋଲକ ବିହାରୀ ନାୟକ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଜେପି କୋଟାରେ ରାଷ୍ଟ୍ରମନ୍ତ୍ରୀ ଭାବେ ରାଜ୍ୟର ଯୋଜନା ସମନ୍ୱୟ ଓ ପେନସନ୍ ବିଭାଗର ଦାୟିତ୍ୱ ତୁଲାଇ ଥିଲେ। ପୁଣି ଥରେ ମେଣ୍ଟ ସରକାରରେ ୨୦୦୪ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପିରୁ ମତ୍ସ୍ୟ ଓ ପଶୁ ସମ୍ପଦ ଓ ହସ୍ତତନ୍ତ ଓ ବୟନ ଶିଳ୍ପର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ରେ ଥିଲେ। ତେବେ ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଓ ୨୦୧୪ରେ ବିଜେଡି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ଉଦଳା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ରାଜନୈତିକ ଜୀବନ ଖୁଣ୍ଟା ର ଜିଲ୍ଲାପରିଷଦ ସଦସ୍ୟ ଭାବରେ ଆରମ୍ଭ କରିଥିଲେ। ତାଙ୍କ ବିୟୋଗରେ କେବଳ ମୟୁରଭଞ୍ଜ ରାଜନୀତି ନୁହେଁ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Related Posts