ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଉପରେ ବର୍ଷିଲେ ସୁପ୍ରମକୋର୍ଟ – ” ଆପଣଙ୍କୁ ଏବେ ମହାରାଷ୍ଟ୍ର ପୋଲିସ ଉପରେ ଭରସା ନାହିଁ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ଆଜି ସୁପ୍ରିମ କୋର୍ଟରୁ ଶକ୍ତ ଝଟକା ଲାଗିଛି। ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ତାଙ୍କ ବିରୋଧରେ ରାଜ୍ୟ ସରକାର ଚଳାଇଥିବା ସମସ୍ତ ଯାଞ୍ଚ ମହାରାଷ୍ଟ୍ର ବାହାରକୁ ସ୍ଥାନାନ୍ତର ଲାଗି ସେ କୋର୍ଟଙ୍କୁ ନିବେଦନ କରିଥିଲେ। ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ଭି ରାମାସୁବ୍ରମଣ୍ୟନଙ୍କ ଅଧ୍ୟକ୍ଷତାରେ କୋର୍ଟଙ୍କ ଅବକାଶକାଳୀନ ପୀଠ ଆଜି ଏହି ମାମଲାର ଶୁଣାଣି କରି ପଚାରିଛନ୍ତି ଯେ ପରମବୀର ସିଂହ ମହାରାଷ୍ଟ୍ର କ୍ୟାଡରର ଆଇପିଏସ ଅଫିସର ଓ ସେ ୩୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ସେବା କରିଛନ୍ତି । ଏବେ ମୁମ୍ବାଇ ପୁଲିସ ଫୋର୍ସ ଉପରେ ବିଶ୍ୱାସ ନକରିବା ଆଶ୍ଚର୍ଯ୍ୟ ଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ବାଦେ ରାଜ୍ୟ ବାହାରେ ତାଙ୍କୁ ପଚରା ଉଚରା କରାଯାଉ କହିପାରିବେନି ବୋଲି ପୀଠ କହିଛନ୍ତି। ବେଞ୍ଚ କଟାକ୍ଷ କରି କହିଛନ୍ତି ଯେ, ” ଯେଉଁମାନେ କାଚ ଘରେ ରୁହନ୍ତି ସେମାନେ ଅନ୍ୟମାନଙ୍କ ଉପରକୁ ପଥର ଫିଙ୍ଗିବା ଉଚିତ୍ ନୁହେଁ।” ଯଦି ସେ କାର୍ଯ୍ୟ କରିଥିବା ରାଜ୍ୟକୁ ବିଶ୍ୱାସ କରନ୍ତିନି ବୋଲି କହିବେ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ବେଞ୍ଚ୍ କହିଛନ୍ତି। ଏଣୁ ଏଭଳି ଆବେଦନକୁ ବିଚାର ଲାଗି ଗ୍ରହଣ କରାଯାଇ ନପାରେ ବୋଲି କୋର୍ଟ କହିଛନ୍ତି। ପରମବୀର ସିଂହଙ୍କ ଓକିଲ ମହେଶ ଜେଠମଲାନୀ ତାଙ୍କ ଆବେଦନ ଫେରାଇ ଆଣିଛନ୍ତି। ତେବେ ପରମବୀର ସିଂହ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଥିଲେ ଯେ ସେ ଯେବେଠାରୁ ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଲେଣି ସେବେଠାରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଯାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ସିବିଆଇକୁ ଦେଇ ଦିଆଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆଜି ଏହି ଆବେଦନ ଖାରଜ କରିଦେଇଛନ୍ତି।

Related Posts