ନୂଆଦିଲ୍ଲୀ: ମୁମ୍ବାଇ ପୁଲିସ୍ର ପୂର୍ବତନ କମିଶନର ସଞ୍ଜୟ ପାଣ୍ଡେଙ୍କ ପାଇଁ ବଢ଼ିଛି ଅଡ଼ୁଆ । ବେଆଇନ ଫୋନ ଟ୍ୟାପିଂ ମାମଲାରେ ଗିରଫ ହେବା ପରେ ଅଧିକ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ୯ ଦିନ ପାଇଁ ନିଜ ହେପାଜତକୁ ନେଇଛି।
ସଞ୍ଜୟ ପାଣ୍ତେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର କିଛି କର୍ମଚାରୀଙ୍କ ଫୋନ ଟ୍ୟାପିଂ କରି ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି।
ସେ ଏନଏସ୍ଇର ପୂର୍ବତନ ମୁଖ୍ୟ ରବି ନାରାଇନ ଓ ଚିତ୍ରା ରାମକୃଷ୍ଣଙ୍କ ସହ ମିଶି ଏପରି କାମ କରିଥିଲେ। ଏଥିପାଇଁ ଶ୍ରୀ ପାଣ୍ତେଙ୍କ ସହ ଜଡ଼ିତ ଗୋଟିଏ କମ୍ପାନୀ ଏନଏସ୍ଇରୁ ପ୍ରାୟ ୫ କୋଟି ଟଙ୍କା ନେଇଥିବା ଇଡି କହିଛି। ସଞ୍ଜୟ ପାଣ୍ଡେଙ୍କୁ ଦିନ ତମାମ ଜେରା କରିବା ପରେ ଇଡି ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରିଥିଲା।
ଆଜି ଦିଲ୍ଲୀ କୋର୍ଟରେ ସେ ହାଜର ହେବା ପରେ ତାଙ୍କୁ ୧୪ ଦିନିଆ ରିମାଣ୍ତରେ ନେବାକୁ ଇଡି ଆବେଦନ କରିଥିଲା। ଏହି ସମୟରେ ଇଡିର ଓକିଲ କୋର୍ଟଙ୍କୁ କହିଥିଲେ ଯେ ସଞ୍ଜୟ ପାଣ୍ଡେ ପୁଲିସ୍ ଚାକିରିରୁ ୨୦୦୦ ମସିହା ଏପ୍ରିଲ ମାସରେ ଇସ୍ତଫା ଦେଇଥିଲେ। ଏହାପରେ ୨୦୦୧-୨୦୦୬ ଯାଏ ତାଙ୍କ ଚାକିରିକୁ ନେଇ ବିବାଦ ଦେଖାଯାଇଥିଲା।
ଏହାପରେ ସେ ୨୦୦୭ରେ ଭିଆରଏସ୍ ନେଇଥିଲେ। ତେବେ ଏହାକୁ ସେ ୨୦୦୮ ଅକ୍ଟୋବର ମାସରେ ପ୍ରତ୍ୟାହାର କରି ନେଇଥିଲେ। ସଞ୍ଜୟ ପାଣ୍ଡେ iSec Securities Private Limited ନାଁରେ ଗୋଟିଏ କମ୍ପାନୀ ଖୋଲିଥିଲେ। ୨୦୦୧ରେ ଏହା ପଞ୍ଜିକୃତ ହୋଇଥିଲା। କମ୍ପାନୀ ପଞ୍ଜିକୃତ ହୋଇଥିବା ବେଳେ ସଞ୍ଜୟ ପାଣ୍ଡେ ପୁଲିସ୍ ସେବାରେ ରହିଥିଲେ।
ସେ ଏହାର ନିର୍ଦ୍ଦେଶ ନଥିଲେ। କିନ୍ତୁ ସେ ଅଫିସର ବୈଠକରେ ଯୋଗ ଦେଉଥିଲେ ଓ ପରୋକ୍ଷରେ କମ୍ପାନୀକୁ ପରିଚାଳନା କରୁଥିଲେ। ପାଣ୍ଡେଙ୍କ କମ୍ପାନୀ ସହ ଅପରାଧିକ ଉଦ୍ଦେଶ୍ୟ ରଖି ଏନଏସ୍ଇ ଚୁକ୍ତି କରିଥିଲା। ଏଥିସହ ଏମଟିଏନଏଲ ଲାଇନ୍ସକୁ ଟ୍ୟାପ କରାଯାଇଥିଲା। ଏଥିପାଇଁ ୪.୪୫ କୋଟି ଟଙ୍କାର ଡିଲ ମଧ୍ୟ ହୋଇଥିବା ଇଡି କୋର୍ଟଙ୍କୁ ଅବଗତ କରାଇଥିଲା। କୋର୍ଟ ଏହି ଯୁକ୍ତି ଶୁଣିବା ପରେ ପାଣ୍ଡେଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଛନ୍ତି ।
ସେପଟେ ଏହି ୯ ଦିନ ମଧ୍ୟରେ ଇଡି ତାଙ୍କୁ ଏହି ଘଟଣା ସମ୍ପର୍କରେ ଅଧିକ ପଚରା ଉଚରା କରିବ।
