ଭୁବନେଶ୍ୱର: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ନାଁ ରେ ଆସିଛି ସଂଘିନ ଅଭିଯୋଗ । କଳା ଧନ ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତି ପାଇଥିବା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥାର ଉପାଧ୍ୟକ୍ଷ ଥିବା ଜଷ୍ଟିସ୍ ପଶାୟତ ଆୟକର ଠକିଥିବା ନେଇ ଅଭିଯୋଗ ଆସିଛି । ଏ ନେଇ ଏକ ଜାତୀୟ ଖବର କାଗଜରେ ଖବର ପ୍ରସାରଣ ପରେ ପୁଣିଥରେ ଆଲୋଚନା ପରିସରକୁ ଆସିଛନ୍ତି ଜଷ୍ଟିସ ପଶାୟତ। ୨୦୧୭-୧୮ ଆର୍ଥିକ ବର୍ଷରେ କୋଟିଏ ୬ ଲକ୍ଷ ଟଙ୍କାର ଆୟକର ଫାଙ୍କିଥିବା ନେଇ କଟକ ଆୟକର ବିଭାଗ ତାଙ୍କୁ ନୋଟିସ କରିଥିଲେ । କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା “ବିବାଦରୁ ବିଶ୍ୱାସ’’ ଜରିଆରେ ୨୦୨୦ ନଭେମ୍ବରରେ ସେ ୩୭ ଲକ୍ଷ ୯୦ ହଜାର ଟଙ୍କା ଟ୍ୟାକ୍ସ ଭରଣ କରିଥିଲେ ଓ ମାମଲାର ରଫା ଦଫାକରିବାରେ ସଫଳ ହୋଇଥିଲେ। ହେଲେ କଳାଧନର ଯାଂଚ କରୁଥିବା ଜଷ୍ଟିସ ପଶାୟତ ଏକଦା ନିଜେ କଳାଧନର ଅଧିକାରୀ ହେବା ନେଇ ଆୟକର ବିଭାଗର ନୋଟିସ୍ ପ୍ରଘଟ ହେବା ପରେ ଚର୍ଚ୍ଚା ଜୋର ଧରିଛି।
୨୦୧୭-୧୮ ଆର୍ଥିକ ବର୍ଷରେ ଜଷ୍ଟିସ ପଶାୟତ, ଏସଆଇଟି ଉପାଧ୍ୟକ୍ଷ ଭାବେ ୨୬ ଲକ୍ଷ ୮୫ ହଜାର ଟଙ୍କା ଦରମା ଆକାରରେ ପାଇଥିଲେ । କିନ୍ତୁ ଏହା ବାଦ ସେ ମଧ୍ୟସ୍ଥତା ଓ ବିବାଦ ସମାଧାନ କରି ୩ କୋଟି ୬୬ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ଯାହାକୁ ସେ ଅନ୍ୟ ସୁତ୍ରରୁ ଆୟ କରିଥିବା ଦର୍ଶାଇଥିଲେ । ଆୟକର ବିଭାଗର ନିର୍ଦ୍ଦେଶନାମାରୁ ଏକଥା ମଧ୍ୟ ଜଣା ପଡିଛି କି, ସେ ମୋଟ୍ ୩ କୋଟି ୬୬ ଲକ୍ଷରୁ ଖର୍ଚ୍ଚ କରିଥିବା ୨ କୋଟି ୧ ଲକ୍ଷ ଟଙ୍କାର କୌଣସି ହିସାବ ନାହିଁ । ଏ ନେଇ ଜଷ୍ଟିସ ପଶାୟତ କୌଣସି ପ୍ରକାରର ଭାଉଚର କିମ୍ବା ରିସିଫ୍ଟ ଦେଖାଇ ପାରିନିଥିବା ନୋଟିସରେ ଉଲ୍ଲେଖ ରହିଛି। ଜଷ୍ଟିସ ପଶାୟତଙ୍କ ବ୍ୟାଙ୍କ ରେକର୍ଡରୁ ଜଣା ପଡିଥିଲା, ସେ ତାଙ୍କ ଝିଅ ରାଜଦ୍ୱୀପା ବେହେରାଙ୍କୁ ୧ କୋଟି ୩୪ ଲକ୍ଷ ଟଙ୍କା ଗିଫ୍ଟ ଆକାରରେ ଦେଇଥିଲେ । ରାଜଦ୍ୱୀପା ଏବେ ଦିଲ୍ଲୀରେ ସିବିଆଇ ଓକିଲ ଅଛନ୍ତି।
