14 ଦିନରେ ପହଂଚିଛି ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ । ଋଷ ର ଲଗାତାର ଆକ୍ରମଣରେ ୟୁକ୍ରେନ ସ୍ଥିତି ଜଟିଳ ହୋଇପଡିଛି । ଘନ ଘନ ଆକ୍ରମଣରେ ଭୟରେ ଦେଶ ଛାଡୁଛନ୍ତି ଅନେକ ୟୁକ୍ରେନବାସୀ । ଆକାଶ ମାର୍ଗରୁ ଘନ ଘନ ବର୍ଷୁଛି ରକେଟ୍‌। ଏହି ଦୁଇ ଦେଶର ଯୁଦ୍ଧ ଭିତରେ ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକେ। ଫଳରେ ନିଜ ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି। ଏହି ତାଲିକାରେ ଏବେ ୟୁକ୍ରେନ୍‌ର ପୂର୍ବତନ ସୁନ୍ଦରୀ ଭେରୋନିକା ଡିଡୁସେନ୍‌କୋ ଦେଶ ଛାଡିଛନ୍ତି । ସେ ନିଜ ସାତ ବର୍ଷର ପୁଅକୁ ଧରି ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଛାଡିବାକୁ ବାଧ୍ୟ ହୋଇଛନ୍ତି। ସେ ମଙ୍ଗଳବାର ଦିନ ମହିଳା ଅଧିକାର ଆଟର୍ଣ୍ଣି ଗ୍ଲୋରିଆ ଆଲ୍‌ରେଡ୍‌ଙ୍କ ଲସ୍‌ ଆଞ୍ଜଲିସ ସ୍ଥିତ ଅଫିସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେ ଛାଡିବା ନେଇ ଦୁଃଖ ପ୍ରକାଶ କରିଛନ୍ତି। ନିଜ ଯନ୍ତ୍ରଣା ବଖାଣିବା ସହ ଅନ୍ୟ ଦେଶମାନଙ୍କୁ ସହାୟତା କରିବା ଲାଗି ସେ ନିବେଦନ ମଧ୍ୟ କରିଛନ୍ତି।

ମିସ୍‌ ୟୁକ୍ରେନ୍‌ ୨୦୧୮ ଭେରୋନିକା ଡିଡୁସେନ୍‌କୋ କହିଛନ୍ତି, ‘ସେ ଓ ତାଙ୍କ ୭ ବର୍ଷର ପୁଅ ଆକ୍ରମଣର ପୂର୍ବଦିନ ଆକାଶ ପଥରେ ଯୁଦ୍ଧ ସାଇରନ୍‌ ଓ ବିସ୍ଫୋରଣ ଶବ୍ଦ ଶୁଣି ନିଦରୁ ଉଠିପଡିଥିଲେ। ଏହାପରେ ସେ ତୁରନ୍ତ ଘର ଖାଲି କରିଥିଲେ। ପରେ ଅନ୍ୟ ହଜାର ହଜାର ଲୋକଙ୍କ ସହ ମିଶି ଚାଲିଚାଲି ୟୁକ୍ରେନ୍‌ ସୀମା ପାଖକୁ ଆସିଥିଲେ। ତେବେ ୟୁକ୍ରେନ୍‌ ସୀମା ପାଖକୁ ଯିବା ଏତେ ସହଜ ନଥିଲା। ଚାଲି ଚାଲି ଯିବା ବାଟରେ ବି ବିସ୍ଫୋରଣ ଏବଂ ରକେଟ୍‌ ହମଲାର ଭୟଙ୍କର ଶବ୍ଦ ଶୁଣିବାକୁ ମିଳୁଥିଲା।’ କିଭ୍‌ରୁ ବାହାରିବା ପରେ ଭେରୋନିକା ନିଜ ପୁଅ ସହ ମୋଲ୍‌ଡୋଭାରେ ପହଞ୍ଚିଥିଲେ। ଏହାପରେ ସେଠାରୁ ସ୍ୱିଜରଲ୍ୟାଣ୍ଡ ସ୍ଥିତ ଜେନେଭା ଯାଇ ପୁଅକୁ ଛାଡିଥିଲେ। ସେଠାରୁ ଭେରୋନିକା ଅଲ୍‌ରେଡ୍‌ଙ୍କ ସହ ସାମ୍ବାଦିକ ସମ୍ମିଳନୀ ପାଇଁ ଆମେରିକା ଆସିଥିଲେ।

ଏବେବି ଅନେକ ଛୁଆ ଓ ମା’ ସବ୍‌ୱେ ଷ୍ଟେସନ ଏବଂ ବମ୍‌ ଶେଲ୍ଟରରେ ଭୟଭୀତ ଅବସ୍ଥାରେ ଅଛନ୍ତି। ଅନେକ ଗର୍ଭବତୀ ମହିଳାମାନେ ମଧ୍ୟ ସେଠାରେ ଅଛନ୍ତି। ଏପରିକି ବମ୍‌ ଶେଲ୍ଟର ଭିତରେ କିଛି ମହିଳା ନବଜାତ ଶିଶୁଙ୍କୁ ଜନ୍ମ ମଧ୍ୟ ଦେଇଛନ୍ତି। ସେମାନଙ୍କ ଅବସ୍ଥା ବେଶ୍‌ ଦୟନୀୟ ରହିଛି। ତାଙ୍କ ସୁରକ୍ଷା ଓ ୟୁକ୍ରେନ ବାସୀଙ୍କ ସୁରକ୍ଷା ପାଇଁ ସମସ୍ତେ ଆଗକୁ ଆସିବା ଦରକାର ବୋଲି କହିଛନ୍ତି ।