ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ଭାଜପାରେ ଯୋଗଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ। ୟୁପିରେ କଂଗ୍ରେସର ସବୁଠାରୁ ଚର୍ଚ୍ଚିତ ବ୍ରାହ୍ମଣ ଚେହେରା କୁହାଯାଉଥିବା ଜିତିନ ପ୍ରସାଦ ଏମିତି ଏକ ସମୟରେ ଦଳ ଛାଡିଛନ୍ତି ଯେଉଁ ସମୟରେ ଗୋଟେ ପଟେ କଂଗ୍ରେସ ପଞ୍ଜାବର କନ୍ଦଳ ସମାଧାନ କରିବା ପାଇଁ ଦିଲ୍ଲୀରେ ବୈଠକ କରୁଛି। ଏପଟେ ୨୦୨୨ ୟୁପି ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଜିତିନଙ୍କୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଏ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି । ବିଜେପିରେ ଯୋଗଦେବା ପରେ ଜିତିନ ପ୍ରସାଦ କହିଛନ୍ତି, “ମୁଁ ଅନୁଭବ କଲି ଯେ ମୁଁ ଏମିତି ଏକ ଦଳରେ ଅଛି ଯେଉଁଠି କେଵଳ ରାଜନୀତି ହେଉଛି। ସେଠାରେ ଲୋକଙ୍କ ପାଇଁ କାମ କରିବାର ସୁଯୋଗ ମିଳୁନଥିଲା । ବିଜେପି ହେଉଛି ଏକ ମାତ୍ର ରାଜନୈତିକ ଦଳ ଯେଉଁଠି ଲୋକ ମାନଙ୍କ ସେବା କରିବାର ଅବସର ମିଳିବ। ବିଜେପି ଏକମାତ୍ର ଜାତୀୟ ଦଳ ଅନ୍ୟ ସବୁ ଆଞ୍ଚଳିକ ଦଳ । ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଦେଶରେ ଆସୁଥିବା ସମସ୍ୟାର ସମାଧାନ କରି ପାରିବେ। ” ରାହୁଲ ଗାନ୍ଧୀଙ୍କ ନିକଟତର କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଗତ ବର୍ଷ ବିଜେପିରେ ସାମିଲ୍ ହୋଇଥିଲେ। ୨୦୧୯ରେ ଜିତିନ ପ୍ରସାଦ କଂଗ୍ରେସ ଛାଡିବା ନେଇ କଳ୍ପନାଜଳ୍ପନା କରାଯାଇଥିଲା କିନ୍ତୁ ସେତେବେଳେ ତାହା ହୋଇ ନଥିଲା। ସେ ଏହାକୁ ଅସ୍ୱୀକାର କରିଥିଲେ। କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେହି ସମୟରେ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଦଳ ନଛାଡ଼ିବା ପାଇଁ ବୁଝାଇ ଥିଲେ । ଗତ କିଛିଦିନ ତଳେ ୟୁପିର ହାଥରସ ଗଣ ଦୁଷ୍କର୍ମ ମାମଲାରେ ସେ ଭାରତୀୟ ଜନତା ପାର୍ଟିକୁ ଜୋରଦାର ସମାଲୋଚନା କରିଥିଲେ। ତେବେ ପାର୍ଟି ପ୍ରତି ତାଙ୍କର ଅସନ୍ତୋଷ କାହାକୁ ଅଛପା ନଥିଲା। କାରଣ ସେ କଂଗ୍ରେସର ତଥାକଥିତ “ଜି -୨୩” ବା ୨୩ ବରିଷ୍ଠ କଂଗ୍ରେସ ନେତାଙ୍କ ସମୂହର ଅଂଶ ଥିଲେ ଯେଉଁମାନେ ଗତ ବର୍ଷ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପାର୍ଟିରେ ବ୍ୟାପକ ସୁଧାର ଏବଂ ପୂର୍ଣ୍ଣକାଳୀନ ସଭାପତି ରଖିବା ପାଇଁ ଚିଠି ଲେଖିଥିଲେ।
ତାଙ୍କୁ କଂଗ୍ରେସର ବେଙ୍ଗଲ ନିର୍ବାଚନ ପ୍ରଚାର ଦାୟିତ୍ୱ ଦିଆଯାଇଥିଲା ଯେଉଁଠାରେ କଂଗ୍ରେସ ପାର୍ଟି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । କୋଭିଡ୍ ମହାମାରୀ ମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ପ୍ରତି ଜନତାଙ୍କ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଜିତିନଙ୍କ ଭାଜପାରେ ଯୋଗଦେବା ଦଳ ପାଇଁ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ୟୁପିର ପ୍ରାୟ ୧୩% ଭୋଟର ବ୍ରାହ୍ମଣ ଅଟନ୍ତି ଏବଂ ଏକ ପ୍ରଭାବଶାଳୀ ଭୋଟବ୍ୟାଙ୍କ ଯାହାକି ବର୍ଷ ବର୍ଷ ଧରି କଂଗ୍ରେସରୁ ବିଜେପି ଆଡକୁ ଢଳିଛନ୍ତି । ଗତ ବର୍ଷ ଜୁଲାଇରେ ଜିତିନ ପ୍ରସାଦ ବ୍ରାହ୍ମଣ ସମ୍ପ୍ରଦାୟକୁ ଏକତ୍ର କରିବାପାଇଁ ଏକ “ବ୍ରାହ୍ମଣ ଚେତନା ପରିଷଦ” ଆରମ୍ଭ କରିଥିଲେ, କିନ୍ତୁ ଏହାର ବିଶେଷ ପ୍ରଭାବ ପଡି ନଥିଲା। କିନ୍ତୁ କଂଗ୍ରେସର କିଛି ନେତା ତାଙ୍କର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ କରିଛନ୍ତି। କାରଣ ସେ ଲଗାତର ତିନୋଟି ନିର୍ବାଚନରେ ​​ହାରିଥିଲେ – 2014 ଏବଂ 2019 ସାଧାରଣ ନିର୍ବାଚନ ଏବଂ 2017 ରେ ୟୁପି ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇନଥିଲେ । ତେବେ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଥିଲେ ଜିତିନ ପ୍ରସାଦ । ଦିଗଙ୍ଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ହେଉଛନ୍ତି ଜିତିନ୍ । ରାଜୀବ ଗାନ୍ଧୀ ଓ ନରସିଂହ ରାଓଙ୍କ ରାଜନୈତିକ ପରାମର୍ଶଦାତା ଭାବେ ଜିତେନ୍ଦ୍ର କାର୍ଯ୍ୟ କରିଥିଲେ । ଜିତେନ୍ଦ୍ର ପ୍ରସାଦ 1999 ରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ଦଳର ସଭାପତି ପଦ ପାଇଁ ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। 2002 ରେ ତାଙ୍କର ଦେହାନ୍ତ ହୋଇଥିଲା । ଜିତିନ ପ୍ରସାଦ ମନମୋହନ ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ଦୁଇଥର ମନ୍ତ୍ରୀ ଥିବା ସହ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି କୁହାଯାଉଥିଲା ।

Related Posts